ବିଦେଶୀ ଗଣମାଧ୍ୟମକୁ ଅଜିତ୍ ଡୋଭାଲଙ୍କ ଜବାବ ।


ସତ୍ୟଶିଖା ୧୨/୦୭/୨୦୨୫:ଅପରେସନ ସିନ୍ଦୁରରେ ଭାରତର କୌଣସି କ୍ଷତି ହୋଇନାହିଁ ବୋଲି ଆଇଆଇଟି ମାଡ୍ରାସର ସମାବର୍ତ୍ତନ କାର୍ଯ୍ୟକ୍ରମରେ କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଆମେ ଅପରେସନ୍ ସିନ୍ଦୁରକୁ ନେଇ ଗର୍ବିତ କହିବା ସହ ବିଦେଶୀ ଗଣମାଧ୍ୟମର ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଏନଏସଏ ।
ଭାରତର କ୍ଷତିକୁ ନେଇ ଦାବି ହେଉଥିବା ବେଳେ ମୋତେ ଯୁଦ୍ଧର ଗୋଟିଏ ଫଟୋ ଦେଖାଅ, ଯେଉଁଥିରେ ଭାରତର କ୍ଷତି ହୋଇଥିବ ବୋଲି କହି ବିଦେଶୀ ଗଣମାଧ୍ୟମର ମୁହଁ ବନ୍ଦ କରିଛନ୍ତି ଅଜିତ ଡୋଭାଲ । ମେ’ ୧୦ ପୂର୍ବରୁ ଏବଂ ପରେ ପାକିସ୍ତାନର ୧୩ଟି ଏୟାରବେସ୍ର ସାଟେଲାଇଟ୍ ଚିତ୍ର ଦେଖନ୍ତୁ, ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ଅପରେସନ୍ ସମୟରେ ଆମେ ସ୍ୱଦେଶୀ ଟେକ୍ନୋଲୋଜିର ବ୍ୟବହାର କରି ନଅଟି ଆତଙ୍କୀ ଠିକଣା ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲୁ । ଆମର ଲକ୍ଷ୍ୟ ସଠିକ୍ ଥିଲା, ମାତ୍ର ୨୩ ମିନିଟରେ ଆମେ ସଫଳ ହୋଇଥିଲୁ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ।
ମେ’ ୭ ତାରିଖ ରାତିରେ ଅପରେସନ ସିନ୍ଦୁର ଆରମ୍ଭ ହେବା ପରେ ପାକିସ୍ତାନ ଦୁଇ ଦୁଇ ଥର ଭାରତ ସହିତ ଯୋଗାଯୋଗ କରିଥିଲା । DGMO ସ୍ତରୀୟ ଆଲୋଚନା ପରେ ମେ’ ୧୦ରେ ହୋଇଥିଲା ଅସ୍ତ୍ରବିରତି ଘୋଷଣା ବୋଲି କହିଛନ୍ତି ଡୋଭାଲ ।
କିଛି ପାକିସ୍ତାନୀ ନାଗରିକଙ୍କ କହିବା ଅନୁଯାୟୀ, ଭାରତର ଆକ୍ରମଣ ତାଙ୍କ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏକ ଏକ୍ସ ପୋଷ୍ଟରେ ଜଣେ ପାକିସ୍ତାନୀ ନାଗରିକ ଦାବି କରିଛନ୍ତି ଯେ ତାଙ୍କ ପରିବାର ଓ ଅଞ୍ଚଳ ଉପରେ ବୋମାମାଡ଼ ହୋଇଛି। କିଛି ବିଦେଶୀ ଗଣମାଧ୍ୟମ ଦାବି କରିଛନ୍ତି ଯେ ପାକିସ୍ତାନ ପ୍ରତିଶୋଧ ନେଇଛି ଓ ଭାରତରେ କ୍ଷୟକ୍ଷତି ହୋଇଛି। କିନ୍ତୁ ଡୋଭାଲଙ୍କ ଅନୁଯାୟୀ, ଏହାର କୌଣସି ପ୍ରମାଣ ନାହିଁ।
ଡୋଭାଲଙ୍କ ବୟାନ ଭାରତର ସାମରିକ ଶକ୍ତି ଓ ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ନୀତିକୁ ପ୍ରତିଫଳିତ କରୁଛି। ସେ ବିଦେଶୀ ଗଣମାଧ୍ୟମକୁ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି ଯେ ସେମାନେ ଯଦି ଭାରତରେ କ୍ଷୟକ୍ଷତିର ଦାବି କରୁଛନ୍ତି, ତେବେ ଏହାର ପ୍ରମାଣ ଦେଖାନ୍ତୁ। ଏହା ଭାରତର ଅନ୍ତର୍ଜାତୀୟ ଛବି ଓ ସାମରିକ ଅଭିଯାନର ସଫଳତାକୁ ଆହୁରି ଜୋରଦାର କରିଛି। ଅପରେସନ ସିନ୍ଦୂର ଭାରତର ଆତଙ୍କବାଦ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ପଦକ୍ଷେପ ଥିଲା, ଯାହା ନିଖୁଣ ଭାବେ ସମ୍ପନ୍ନ ହୋଇଥିଲା।