ଧର୍ମ

ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ । ବଡଦେଉଳରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ।

ସତ୍ୟଶିଖା :୨୬/୦୬/୨୦୨୫:ରାତି ପାହିଲେ ରଥାରୁଢ ହେବେ ତିନିଠାକୁର । ୯ ଦିନ ଯାତ୍ରା କରିବାକୁ ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚାବାଡି ଯିବେ କାଳିଆ ଠାକୁର । ପୁରୀରେ ଘୋଷଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା । ଏପଟେ ୧୫ ଦିନର ଅଣସର ଯାତ୍ରା ପରେ ସୁସ୍ଥ ହୋଇଛନ୍ତି ଦାରୁଦିଅଁ । ସେଥିପାଇଁ ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ । ବଡଦେଉଳରେ  ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ବୁଧବାର ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ୧୫ ଦିନର ଅଣସର ଶେଷ କରି ଆଜି ଶ୍ରୀବିଗ୍ରହ ଅଣସର ପିଣ୍ଡିରୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାବାହୁ । ସକାଳ ଚାଲିଛି ଦର୍ଶନ । ଏହାସହ ପାରିମାଣିକ ଦର୍ଶନ ବ୍ୟବସ୍ଥା ହୋଇଛି । ଘଣ୍ଟାଏ ପାରିମାଣିକ ଦର୍ଶନ ପରେ ସକାଳ ୯ଟାରୁ ସାଢେ ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ଚାଲିବ । ଚଳିତ ବର୍ଷ ଚତୁର୍ଦ୍ଧାମୂର୍ତ୍ତି ମାତ୍ର ଅଢ଼େଇ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେବେ । ଏହାପରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି । ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ମଧ୍ୟ ଗୋଟିଏ ଦିନରେ ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ନବଯୌବନ ବେଶ ଦର୍ଶନ ଲାଗି ପ୍ରତିବର୍ଷ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥାଏ । ଭକ୍ତଙ୍କ ଭିଡ଼କୁ ଆଖିରେ ରଖି ଶ୍ରୀମନ୍ଦିର ଭିତରେ ଓ ବାହାରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି ।

Show More
Back to top button