

ସତ୍ୟଶିଖା :୧୯/୦୫/୨୦୨୫:୨୧ ଦିନ ବ୍ୟାପୀ ଚାଲିଥିବା ବାହାର ଚନ୍ଦନ ଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ।ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ବିଧି ଓ ପରମ୍ପରା ଅନୁଯାୟୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଆଜି ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ। ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ତିନି ବାଡର ପୂଜାପଣ୍ଡା ସେବାୟତ ରଥଖଳା ପାଖକୁ ଆସିବେ। ସେଠାରେ ଭୋଇ ସେବକ ମାନେ ତିନି ରଥର ଦୁଇଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ କରିବେ। ଏହାପରେ ପୂଜାପଣ୍ଡା ସେବାୟତ ମହାରଣାମାନଙ୍କୁ ଆଜ୍ଞାମାଳ ପ୍ରଦାନ କରି ବିଧି ସମ୍ପନ୍ନ କରିବେ।
ସେପଟେ ଶ୍ରୀକ୍ଷେତ୍ର ଭଉଁରୀ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦାୟିତ୍ବରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ତେବେ ନରେନ୍ଦ୍ର ପୁଷ୍କରିଣୀରେ ଅଗ୍ନିଶମ ବାହିନୀ ସହିତ ଲାଇଫ ଗାର୍ଡ ମୁତୟନ ହେବେ। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି।