ରାଜ୍ୟରେ ଦୁଇଦିନ ବର୍ଷା ସମ୍ଭାବନା l

ସତ୍ୟଶିଖା : ୧୫/୦୨/୨୦୨୫ : ଖରା, ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି l ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୦ରେ ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜ ସମେତ କେନ୍ଦୁଝର ଏବଂ ଢେଙ୍କାନାଳରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ତିନି ଦିନ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ ବୋଲି ଆକଳନ କରାଯାଇଛି ।
ସେହିଭଳି ୨ ଦିନ ପରେ ରାତି ତାପମାତ୍ରା ମଧ୍ୟ ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ରହିଛି । ଶୁକ୍ରବାର ଅନୁଗୁଳରେ ଦିନ ତାପମାତ୍ରା ସର୍ବାଧିକ ୩୪.୭ ଡିଗ୍ରୀ ରେକର୍ଡ ହୋଇଥିଲା । ଖୋର୍ଦ୍ଧାରେ ୩୪.୫ ଡିଗ୍ରୀ,ଝାରସୁଗୁଡ଼ାରେ ୩୪.୨, ବୌଦ୍ଧରେ ୩୩.୫, ଭବାନୀପାଟଣା ଓ ନୟାଗଡ଼ରେ ୩୩ ଡିଗ୍ରୀ ରେକର୍ଡ ହୋଇଥିଲା । ରାଉରକେଲାରେ ରାତି ତାପମାତ୍ରା ସବୁଠୁ କମ୍ ବା ୯.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ୧୦.୨, ଫୁଲବାଣୀରେ ୧୨.୫, ସୁନ୍ଦରଗଡ଼ରେ ୧୨.୬, କେନ୍ଦୁଝରରେ ୧୩.୮ ଡିଗ୍ରୀ ରହିଥିଲା।