

ସତ୍ୟଶିଖା : ୦୮/୦୨/୨୦୨୫ : ରବିବାର ବାରବାଟୀରେ ଭାରତ-ଇଂଲଣ୍ଡ ଟକ୍କର । ମୁକାବିଲା ୨ ଦଳ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ଆଜି ଟିମ ଇଣ୍ଡିଆ ବାରବାଟୀକୁ ଅଭ୍ୟାସ ପାଇଁ ଯିବ । ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ଅପରାହ୍ଣ ୫ଟାରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ଇଂଲଣ୍ଡ ଟିମ୍ ଅଭ୍ୟାସ କରିବାକୁ ଯିବ ନାହିଁ ।
ଇଂଲଣ୍ଡ ଟିମର ଅପରାହ୍ଣ ୧ଟାରୁ ୪ ପର୍ଯ୍ୟନ୍ତ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଟିମ କଟକ ନଯାଇ ଭୁବନେଶ୍ବର ଗଲ୍ଫ କ୍ଲବରେ ଗଲ୍ଫ ଖେଳିବେ । ତେବେ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର କିଛି ଖେଳାଳି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଦର୍ଶନ କରିଥିବା ଖେଳାଳି ମାନେ ହେଲେ ସ୍ପିନର ବରୁଣ ଚକ୍ରବର୍ତ୍ତୀ, ଅଲରାଉଣ୍ଡର ଓ୍ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ । ସକାଳୁ ସକାଳୁ ସେମାନେ ମହାପ୍ରଭୁଙ୍କ ଆଶିଷ ନେବାକୁ ପହଞ୍ଚିଥିଲେ ।ସୂଚନା ଥାଉକି, ଖେଳାଳିମାନେ ଭୁବନେଶ୍ବର ମେ’ଫେୟାରରେ ରହୁଥିବାରୁ ଅଭ୍ୟାସ ଓ ରବିବାର ମ୍ୟାଚ୍ ପାଇଁ ପରିବହନ କରିବାକୁ ଓସିଏ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓସିଏ ପକ୍ଷରୁ ୫ଟି ସ୍ୱତନ୍ତ୍ର ବସ୍ ସହ କିଛି ଇନୋଭା ଗାଡ଼ି କମିସନରେଟ ପୋଲିସକୁ ହସ୍ତାନ୍ତର କରାଯାଇଛି । ଷ୍ଟାଡିୟମରେ ମଧ୍ୟ ଖେଳାଳିଙ୍କ ଅଭ୍ୟାସ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଭୟ ଦଳର ଅଭ୍ୟାସ ପାଇଁ ସ୍ବତନ୍ତ୍ର ପିଚ୍ ନିର୍ମାଣ ହୋଇଥିବା ବେଳେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଶନିବାର ଖେଳାଳିମାନଙ୍କ ଅଭ୍ୟାସ ଦେଖିବା ପାଇଁ ଦର୍ଶକମାନଙ୍କୁ ଷ୍ଟାଡିୟମରେ ଗ୍ୟାଲେରି ନଂ-୫କୁ ଯିବା ସୁବିଧା କରାଯାଇଛି । ଦର୍ଶକଙ୍କ ଭିଡ଼କୁ ଅନୁମାନ କରି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମ୍ୟାଚ୍ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।