ଅଦା ପାଣି ପିଅନ୍ତୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହେବ


ସତ୍ୟଶିଖା : ୧୭/୦୧/୨୦୨୫ : ସମସ୍ତେ ଚାହାଁନ୍ତି ସୁସ୍ଥ ରହିବା ପାଇଁ । ଆଉ ସୁସ୍ଥ ରହିବା ପାଇଁ ହେଲେ ଶରୀର ପ୍ରତି ବିଶେଷ ଭାବେ ଗୁରୁତ୍ଵ ଦେବାକୁ ପଡିଥାଏ । କିନ୍ତୁ ବ୍ୟସ୍ତ ବହୁଳ ଜୀବନ ଭିତରେ ଅଧିକାଂଶ ଲୋକଙ୍କ ପାଖରେ ଶରୀର ପ୍ରତି ଯତ୍ନ ନେବାକୁ ସମୟ ନଥାଏ। ତେବେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ପ୍ରାୟତଃ ଅତ୍ୟାଧୁନିକ ସୁପରଫୁଡ୍, ଟ୍ରେଣ୍ଡି ଡାଏଟ୍, କିମ୍ବା ଚମତ୍କାରୀ ଫଳ ଖୋଜିଥାଉ । କିନ୍ତୁ ଅନେକ ଘରେଇ ଜିନିଷ ଅଛି ଯାହା ଔଷଧୀୟ ଗୁଣରେ ଭରପୂର । ତା ମଧ୍ୟରୁ ଗୋଟାଏ ହେଲା ଅଦା । ଯେଉଁଥିରେ ରହିଛି ଔଷଧୀୟ ଗୁଣର ଭଣ୍ଡାର । ଅଦା ଏପରି ଏକ ଜିନିଷ ଯାହାକୁ ଖାଇବା ଦ୍ଵାରା ଆମକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ ।
ଅଦାକୁ ପାଣିରେ ଫୁଟାଇ ପିଇପାରିବେ । ଅଦାରେ ଆଣ୍ଟି-ବ୍ୟାକ୍ଟେରିଆ ଓ ଆଣ୍ଟି-ଭାଇରାଲ ଗୁଣ ରହିଛି, ଯାହା ବିଭିନ୍ନ ରୋଗ ଓ ସଂକ୍ରମଣରୁ ଶରୀରକୁ ସୁସ୍ଥ ରଖିଥାଏ । ଅଦା ଆମ ସମସ୍ତଙ୍କ ରୋଷେଇ ଘରେ ସହଜରେ ମିଳିଥାଏ । ଯାହାକୁ ଗରମ ପାଣିରେ ଫୁଟାଇ ପିଇଲେ ଶରୀରକୁ ଅନେକ ଫାଇଦା ମିଳେ । ତେବେ ଆସନ୍ତୁ ଜାଣିବା ଅଦା ପାଣି ପିଇଲେ କଣ ଲାଭ ମିଳେ ।
ଅଦା ପାଣି ଗଣ୍ଠି ଓ ମାଂସପେଶୀର ଯନ୍ତ୍ରଣା କମ୍ କରିଥିଏ । ଏଥିରେ ବିଶେଷ ଭାବେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଅଛି । ଯାହା ଆଣ୍ଠୁ ଗଣ୍ଠି, ମାଂସପେଶୀ ଯନ୍ତ୍ରଣା, ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା କମାଇବାରେ ଉପଯୋଗୀ ହୋଇଥାଏ ।
ସେହିପରି ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର ଅଦା ପାଣି ତ୍ବଚା ସହ ଜଡିତ ସମସ୍ୟା ମଧ୍ୟ ଦୂର କରିଥାଏ । ଗରମ ପାଣି ଓ ଅଦା ପିଇଲେ ଓଜନ ନିୟନ୍ତ୍ରଣରେ ସହାୟକ ହୁଏ । ସକାଳେ ଖାଲି ପେଟରେ ଏହି ଅଦା ପାଣି ପିଇଲେ ପେଟରେ ମେଟାବଲିଜିମ ବଢିଥାଏ । ଏହା ମେଦବହୁଳତା କମ୍ କରିବାରେ ସାହାଯ୍ୟ କରେ ।
ଅଦା ପାଣି ପିଇଲେ କୋଷ୍ଠକାଠିନ୍ୟ, ଡାଇରିଆ, ଗ୍ୟାସ୍ ଆଦି ସମସ୍ୟା କମ୍ ହୁଏ । ମୁଣ୍ଡ ବୁଲାଉଥିଲେ କିମ୍ବା ବାନ୍ତି ହେଉଥିଲେ ଅଦା ପାଣି ପିଇଲେ ତାହା କମିଯାଏ । ଅଦାକୁ ମେଥି କିମ୍ବା ପୋଦିନା ସହ ପାଣିରେ ମିଶାଇ ପିଇପାରିବେ । ବିଶେଷଜ୍ଞଙ୍କ କହିବା କଥା, ଅଦା ଖରାପ କୋଲେଷ୍ଟ୍ରଲ କମ୍ କରି ଭଲ କୋଲେଷ୍ଟ୍ରଲ ବଢାଇବାରେ ସାହାଯ୍ୟ କରେ । ଅଦା କିମ୍ବା ଅଦା ପାଣି ସେବନ କଲେ ଖରାପ କୋଲେଷ୍ଟ୍ରଲ ହ୍ରାସ ପାଏ ଯାହାକି ହୃଦୟ ପାଇଁ ଲାଭଦାୟକ ।
ପାଣିରେ ଅଦା ଓ ହଳଦୀ ପକାଇ ଏହାକୁ ଫୁଟାଇ ପିଇଲେ ଥଣ୍ଡା-କାଶ ମଧ୍ୟ ଦୂର ହୋଇଥାଏ । ଗୋଟିଏ ମାସ ଧରି ନିୟମିତ ଅଦା ପାଣି ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଭରି ରହିଛି । ଏହି ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଶରୀରରେ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ବଦହଜମୀ, ପେଟ ଯନ୍ତ୍ରଣା, ବାନ୍ତି ଲାଗିବା ଭଳି ସମସ୍ୟା ହେଲେ ଅଦା ଖାଇଲେ ତୁରନ୍ତ ଆରାମ ମିଳିଥାଏ । ଏଥିସହ ଷ୍ଟ୍ରେସ କମ୍ କରିବାରେ ମଧ୍ୟ ଅଦା ଖୁବ ସହାୟକ ହୋଇଥାଏ l