ସାହିତ୍ୟ ଓ ସଂସ୍କୃତି

କାର୍ତ୍ତିକ ମାସ ଆରମ୍ଭରୁ ଶ୍ରୀମନ୍ଦିରରେ ଏବେ ଅବଢ଼ା ଦର ଉପରମୁହାଁ

ସତ୍ୟଶିଖା (ଭୁବନେଶ୍ୱର )୦୧.୧୧`.୨୦୨୩ : ଆରମ୍ଭ ହୋଇଛି ମହାକାର୍ତ୍ତିକ। କୈବଲ୍ୟ କଣିକା ଟିକିଏ ପାଇବା ପାଇଁ ଆତୁର ଭକ୍ତ । ହେଲେ ମହାପ୍ରସାଦର ଦର କାର୍ତ୍ତିକମାସ  ଆରମ୍ଭରୁ ହିଁ ଉପରମୁହାଁ ହେଲାଣି। ଯାହାକୁ ନେଇ କେବଳ ଭକ୍ତ କାହିଁକି ସେବାୟତ ବି ଅସନ୍ତୁଷ୍ଟ। ଗତ ସେପ୍ଟେମ୍ବର ୧୩ ତାରିଖରେ ଶୃଙ୍ଖଳା କମିଟି ବୈଠକରେ ଅଣସୁପକାର ପ୍ରବେଶ ବାରଣ କରାଯାଇଥିବା କଥା କୁହାଯାଇଥିଥିଲା । କେବଳ ଦୁଇଜଣ ସହାୟକ ସୁପକାରଙ୍କ ସାଙ୍ଗରେ ରହିବା ନେଇ ନିଷ୍ପତ୍ତି ମଧ୍ୟ ହୋଇଥିଲା। ଠିକ ସେଇଭଳି ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ଦୀର୍ଘଦିନ ସୁଆର ମହାସୁଆର ନିଯୋଗ ଦାବି କରି ଆସୁଛି ।

ମାତ୍ର ଗତ ୪ ମାସ ତଳେ ଏକ ସବ କମିଟି ବୈଠକ କରି ଚୁପ ବସିଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ଏବେ ବି ଅଣସେବାୟତ ଓ ଦଣ୍ଡିଆ ମାନେ ଶ୍ରୀମନ୍ଦିରରେ ଆଡା ଜମାଉଥିବା ବେଳେ ମହାପ୍ରସାଦ ଦର ଉପରେ ରୋକ ଲାଗିପାରୁନି। ଉତ୍ତରଦ୍ୱାର ପ୍ରବେଶ କଟକଣା ଯୋଗୁଁ ଭକ୍ତଙ୍କ କଷ୍ଟ ବଢୁଥିବା ବେଳେ ଦଣ୍ଡିଆଙ୍କ ଉତ୍ପାତ ବଢୁଛି। ଯାହାଫଳରେ ଭକ୍ତ ସୁଲଭ ମୂଲ୍ୟରେ ମହାପ୍ରସାଦ ପାଇପାରୁନାହାନ୍ତି। ଫଳରେ ଅସନ୍ତୋଷ ଜାହିର କରୁଛନ୍ତି ଭକ୍ତ ।

ଗତ ଜୁଲାଇ ମାସରେ ଆନନ୍ଦ ବଜାର ସ୍ଥିତି ସୁଧାର ପାଇଁ ପ୍ରାୟ ୨୦ ଟି ପ୍ରସଙ୍ଗରେ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ଏକ ସବ କମିଟି ଗଠନ ହୋଇଥିଲା। ୭ ରୁ ୧୦ ଦିନ ମଧ୍ୟରେ ଏହି କମିଟି ଆବଶ୍ୟକୀୟ ସୁପାରିଶ ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ ନିଷ୍ପତ୍ତି ହୋଇଥିଲା ।ଶ୍ରୀମନ୍ଦିର ସ୍ୱତ୍ୱଲିପି ଆଧାରରେ କେବଳ ସୁପକାର ମାନେ ମହାପ୍ରସାଦ ବିକ୍ରି କରିବେ ବୋଲି ନିଷ୍ପତ୍ତି ନେବାସହ ଅଣସୁପକାରଙ୍କୁ ତଡିବାକୁ ନିଷ୍ପତ୍ତି ହୋଇଥିଲା। ନିର୍ଦ୍ଦିଷ୍ଟ ସ୍ଥାନରେ କିଏ କେତେ ଅବଢ଼ା ବିକ୍ରି କରିବ ଏବଂ ଯେଉଁଠାରେ ବସିବେ ସେଠାରେ ନମ୍ବରିଂ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ସାଇନେଜ ଲାଗିବା ସହ ଆନନ୍ଦ ବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏସବୁର କାର୍ଯ୍ୟକାରୀ ହେଉନଥିବା କଥା ଅଭିଯୋଗ କରିଛନ୍ତି ଖୋଦ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର।

ସବ କମିଟି ଗଠନର ଚାରି ମାସ ପରେ ବି ଆନନ୍ଦ ବଜାର ସ୍ଥିତି ସୁଧାର ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ କିମ୍ବା  ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନାହିଁ। ତେବେ କେବେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିବ ତାହା ଉପରେ ଏବେ ନଜର।

Show More
Back to top button