ଆରମ୍ଭ ହେଲା ରଥ ନିର୍ମାଣ: ମୁଖ୍ୟ ମହାରଣା କହିଲେ- ମହାପ୍ରଭୁଙ୍କ କୃପା ଥିଲେ ସବୁ କିଛି ସମ୍ଭବ


ପୁରୀ(ସତ୍ୟଶିଖା): ରଥ ନିର୍ମାଣ ନେଇ ସଂଶୟ ଦୂର ହେଲା। ୧୩ ଦିନ ବିଳମ୍ୱରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ। ଭକ୍ତିମୟ ପରିବେଶ ସହ ଚଳଚଞ୍ଚଳ ହୋଇଛି ଶ୍ରୀନଅର ସମ୍ମୁଖ ରଥଖଳା। ଶ୍ରୀଫଳରୁ ଶୁଭାରମ୍ଭ ପରେ ମାଳ ଓ ମାହାର୍ଦ୍ଦ ଅର୍ପଣ କରି ରଥ କାଠରେ କୁରାଢ଼ୀ ସ୍ପର୍ଶ କରିଛନ୍ତି ବିଶ୍ୱକର୍ମା ମହାରଣା।
ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପ୍ରାରମ୍ଭିକ କାର୍ଯ୍ୟ ତୁମ୍ବ କାଠ ପ୍ରସ୍ତୁତି ଚାଲିଛି। ଭୋଇ ସେବକମାନେ ନିର୍ଦ୍ଦିଷ୍ଟ କାଠ ଗଣ୍ଡି ଯୋଗାଇବା ପରେ ପ୍ରାଥମିକ କାର୍ଯ୍ୟ ଭାବେ ଯୁଦ୍ଧକାଳୀନ ଭିତ୍ତିରେ କରିଛନ୍ତି ତିନି ରଥର ୪୨ଟି ଚକ ପାଇଁ ତୁମ୍ବ ବାଡ଼ିଆ। ତେବେ ଅକ୍ଷୟ ତୃତୀୟାରୁ ଆଜି ଭିତରେ ପ୍ରାୟ ୧୩ଦିନ ବିତି ଯାଇଥିଲେ ସୁଦ୍ଧା ଆସନ୍ତା ଭଉଁରୀ ତିଥିରେ ଚକ ଡେରା ନୀତି ସମାପନ ହୋଇ ପାରିବ କି ନାହିଁ, ତାକୁ ନେଇ ଉପୁଜିଛି ସନ୍ଦେହ। ତେବେ ପ୍ରଭୁ ଜଗନ୍ନାଥ କୃପା ଥିଲେ ସବୁ କିଛି ସମ୍ଭବ ବୋଲି କହିଛନ୍ତି ମୁଖ୍ୟ ମହାରଣା।
ଆହୁରି ପଢ଼ନ୍ତୁ
ସେପଟେ ‘କରୋନା’ ସଂକ୍ରମଣ ରୋକିବାକୁ ରଥଖଳାରେ ମଧ୍ୟ ହୋଇଛି ବ୍ୟାପକ ପ୍ରସ୍ତୁତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ମାନି ରଥ ନିର୍ମାଣରେ ଲାଗିଛନ୍ତି ମହାରଣା, ଭୋଇ, ରୂପକାର ଓ କମାର ଆଦି ସେବାୟତ। ସମସ୍ତେ ବାଧ୍ୟତାମୂଳକ ମାସ୍କ ପିନ୍ଧୁଥିବା ବେଳେ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ରଥଖଳାକୁ ଚାରି ପାଖରୁ ସମ୍ପୂର୍ଣ୍ଣ କନା ଘୋଡ଼ଣୀ ଦିଆଯାଇଛି।
ସେପଟେ ରଥ କାମରେ ଲାଗିଥିବା ସବୁ ସେବାୟତଙ୍କର ‘କରୋନା’ ଟେଷ୍ଟ କରିବାକୁ ସରକାର ସ୍ଥିର କରିଛନ୍ତି। ତା’ସହ ୧୫୦ରୁ ଅଧିକ ବିଶ୍ୱକର୍ମା ମହାରଣାଙ୍କୁ ଦୁଇଟି ଭକ୍ତ ନିବାସରେ ରଖାଯିବ ଓ ଖାଦ୍ୟପେୟ ବ୍ୟବସ୍ଥା ହେବ। ନିୟମିତ ସେମାନଙ୍କୁ ସ୍ୱତନ୍ତ୍ର ବସରେ ରଥଖଳାକୁ ନିଆଯିବ। ତେବେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଏଥର ୨୦୦ ଫୁଟ୍ ନିଷିଦ୍ଧାଞ୍ଚଳ ମଧ୍ୟରେ ରଥ ନିର୍ମାଣ ଚାଲିବାକୁ ସେବାୟତଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।
ଚଳିତବର୍ଷ ଜୁନ୍ ୨୩ ତାରିଖରେ ପଡ଼ୁଛି ମହାପ୍ରଭୁଙ୍କ ରଥଯାତ୍ରା। ହାତରେ ମାତ୍ର ଦେଢ଼ ମାସ ସମୟ। ତେଣୁ ଏତେ କମ୍ ଦିନରେ ତିନି ରଥକୁ ଛିଡ଼ା କରିବା ମହାରଣା ସେବାୟତଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିଲେ ମଧ୍ୟ ମହାପ୍ରଭୁଙ୍କ ଦୟାରୁ ଅସମ୍ଭବ ନୁହେଁ ବୋଲି କହିଛନ୍ତି।