ଇନଷ୍ଟାଗ୍ରାମରେ ଅଶ୍ଲୀଳ ଚ୍ୟାଟ ଗ୍ରୁପ, ଦ୍ୱାଦଶ ଶ୍ରେଣୀର ଛାତ୍ର ଗିରଫ


ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ବୋଇସ ଲକର ରୁମ ସ୍କାଣ୍ଡାଲର ମାଷ୍ଟର ମାଇଣ୍ଡକୁ ଆଜି ପୁଲିସ୍ ଗିରଫ କରିଛି। ଏହି ଗିରଫ ଯୁବକ ଜଣଙ୍କ ଦ୍ୱାଦଶ ଶ୍ରେଣୀର ଛାତ୍ର। ସେ ନୋଏଡାର ଏକ ସ୍କୁଲରେ ପଢ଼ୁଥିଲେ ଓ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥାଆନ୍ତେ।
ଇନଷ୍ଟାଗ୍ରାମରେ ବୋଇସ ଲକର ରୁମ ନାମରେ ଏକ ଗ୍ରୁପ୍ ଖୋଲା ଯାଇଥିଲା। ଏଥିରେ ଛାତ୍ରୀ ଓ ନାବାଳିକାମାନଙ୍କ ଅଶ୍ଲୀଳ ଫଟୋକୁ ବିକୃତ କରି ପ୍ରସ୍ତୁତ କରାଯାଉଥିଲା। ସେହିପରି ନାବାଳିକା ଓ ଝିଅମାନଙ୍କୁ ଅଶ୍ଳୀଳ ମେସେଜ ସବୁ ପଠା ଯାଉଥିଲା। ଏହି ଘଟଣାର ମାଷ୍ଟରମାଇଣ୍ଡ ଗିରଫ ହୋଇଥିବା ବେଳେ ସ୍କୁଲର ଆଉ ୧୫ ଜଣଙ୍କୁ ପୁଲିସ୍ ଅଟକ ରଖି ଜେରା କରୁଛି।
ଆହୁରି ପଢ଼ନ୍ତୁ
ସେମାନଙ୍କ ଫୋନକୁ ସିଜ କରାଯାଇଛି। ଏହି ବୋଇସ ଲକର ରୁମ ଗ୍ରୁପରେ ୨୭ ଜଣ ସଦସ୍ୟ ରହିଥିଲେ। ପୁଲିସ୍ ସମସ୍ତଙ୍କୁ ଚିହ୍ନଟ କରିସାରିଛି। ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଗ୍ରୁପ ବିଷୟରେ ଜାଣି ନଥିବା କହିଛନ୍ତି। ସେମାନଙ୍କୁ ଅନ୍ୟ କେହି ଗ୍ରୁପରେ ଆଡ୍ କରିଥିଲା ବୋଲି ସେମାନେ ସଫେଇ ଦେଇଛନ୍ତି।
ଏହି ଚ୍ୟାଟରୁମ ସ୍କାଣ୍ଡାଲ ରବିବାର ସାମ୍ନାକୁ ଆସିଥିଲା। ଏହି ଚ୍ୟାଟର ଶିକାର ହୋଇଥିବା ଜଣେ ଝିଅ ସୋଶାଲ ମିଡିଆରେ ଏକଥା ଜଣାଇବା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଗ୍ରୁପରେ ଥିବା ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ବେଶ ଆରାମରେ ଗଣ ଦୁଷ୍କର୍ମ, ଯୁବତୀ ଓ ଝିଅଙ୍କ ଫଟୋକୁ ବିକୃତି କରୁଥିବା ଭିଡିଓ ଏବଂ ଫଟୋକୁ ଶେୟାର କରୁଥିଲେ। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଏହା ପଛର ମୁଖ୍ୟ ଖଳନାୟକଙ୍କୁ ଗିରଫ କରିଛି।