

ସତ୍ୟଶିଖା(ବେଙ୍ଗାଲୁରୁ )୨୯.୦୯ . ୨୦୨୨: ନଭେମ୍ବର ୩୦ରୁ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପୂର୍ବରୁ ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲା ଅଫର ଦେଇଛନ୍ତି । ଓଡ଼ିଶାର ଶିଳ୍ପାୟନରେ ଭାଗିଦାର ହୁଅ, ଅନ୍ୟ ରାଜ୍ୟ ଯେତିକି ପ୍ରୋତ୍ସାହନ ଦେଉଥିବେ ତା’ଠୁ ଓଡ଼ିଶା ନିଶ୍ଚିତ ଭାବେ ଅଧିକ ପ୍ରୋତ୍ସାହନ ଯୋଗାଇ ଦେବ ବୋଲି ଶିଳ୍ପପତି ଓ ନିବେଶକମାନଙ୍କୁ ବ୍ୟବସାୟିକ ପ୍ରତିଶ୍ରୁତି ଦେଇଛନ୍ତି ।
ବେଙ୍ଗାଲୁରୁରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ସାମିଲ ପ୍ରାୟ ୪୦୦ଜଣ ଶିଳ୍ପପତି, ବ୍ୟବସାୟିକ ପ୍ରତିନିଧି ଓ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ନିବେଶ କରି ରାଜ୍ୟର ନୂଆ ଶିଳ୍ପାୟନ ଯୁଗରେ ଆମର ଭାଗିଦାରୀ ହେବାକୁ ଆହ୍ୱାନ କରିଛନ୍ତି । ନିଯୁକ୍ତିଭିତ୍ତିକ ଶିଳ୍ପାୟନ ଅଭିବୃଦ୍ଧି ନିମନ୍ତେ ସମସ୍ତ ପ୍ରକାରର ଇକୋସିଷ୍ଟମ ଉପଲବ୍ଧ କରିବାକୁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ । ବ୍ୟବସାୟିକ ପ୍ରୋତ୍ସାହନ ପାଇଁ ଯଦି କୌଣସି ରାଜ୍ୟ ‘ଏକ୍ସ’ ସହାୟତା ଦେଉଥିବେ ତା’ହେଲେ ଓଡ଼ିଶା ନିଶ୍ଚିିତ ଭାବେ ‘ଏକ୍ସ ପ୍ଲସ୍’ ସହାୟତା ଯୋଗାଇ ଦେବ । ଆମ ସରକାର ଏ ସଂକ୍ରାନ୍ତ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେବାକୁ ଆମନ୍ତ୍ରଣ କରିଛନ୍ତି । ଓଡ଼ିଶାର ରୂପାନ୍ତରଣ ଯାତ୍ରାରେ ଭାଗିଦାର ହୁଅନ୍ତୁ । ଓଡ଼ିଶା ଏବେ ସବୁ କ୍ଷେତ୍ରରେ ଦ୍ରୁତଗତିରେ ବିକାଶ କରୁଛି । ଆମର ପ୍ରାକୃତିକ ସମ୍ପଦ, ଦକ୍ଷ ମାନବ ସମ୍ବଳ, ଟେକ୍ନୋଲୋଜି ଓ ମ୍ୟାନୁଫାକଚରିଂ କ୍ଷେତ୍ରରେ ବିଶ୍ୱରେ ଏକ ପ୍ରମୁଖ ଶକ୍ତି ଭାବେ ଭାରତ ଉଭା ହୋଇଛି । ଏଥିପାଇଁ ଆପଣମାନଙ୍କର ଉଭାବନ ଓ ଉତ୍ସାହଜନକ କାର୍ଯ୍ୟ ପ୍ରଶଂସନୀୟ । ନିବେଶ ପ୍ରସ୍ତାବକୁ କାର୍ଯ୍ୟାନ୍ୱୟନରେ ଓଡ଼ିଶାର ଟ୍ରାକ ରେକର୍ଡ ଭଲ ରହିଛି ଓ ଦେଶର ଶୀର୍ଷ ରାଜ୍ୟରେ ଓଡ଼ିଶା ସାମିଲ ଅଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ ହେଉଛି ରାଜ୍ୟର ଅଭିବୃଦ୍ଧିର ସୂଚନା ଓ ନିବେଶକଙ୍କୁ ଅଫର ଦେବାର ପ୍ଲାଟଫର୍ମ ।