ନ୍ୟୁଜ୍ରାଜ୍ୟ

ଏଣିକି ଓଡିଶାରେ ବି କଡ଼ାକଡ଼ି ହେବ ସିଟ୍ ବେଲ୍ଟ ନିୟମ, ନହେଲେ ଡ୍ରାଇଭର ଗଣିବେ ତଣ୍ଡ

ସତ୍ୟଶିଖା( ଭୁବନେଶ୍ୱର )୨୯.୦୯ . ୨୦୨୨:  ଏଣିକି ଓଡିଶାରେ ବି କାର୍ ପଛ ସିଟ୍‌ରେ ବସୁଥିବା ଲୋକଙ୍କ ପାଇଁ ସିଟ୍ ବାଧ୍ୟତାମୂଳକ ହେବ । ପଛ ସିଟ୍‌ରେ ବସୁଥିବା ଲୋକ ସିଟ୍‌ ବେଲ୍ଟ ପିନ୍ଧି ନ ଥିଲେ ତଣ୍ଡ ଗଣିବେ ଡ୍ରାଇଭର।  ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି ।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁଯାୟୀ, ଦୁଇ ଚକିଆ, ତିନି ଚକିଆ ଯାନ ବାଦ୍ ଯେଉଁ ଗାଡିରେ ୮ରୁ କମ୍ ସିଟ୍ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ । ୮ରୁ କମ୍ ସିଟ୍‌ ବିଶିଷ୍ଟ ଗାଡିରେ ପଛରେ ଯେଉଁ ଯାତ୍ରୀ ସାମ୍ନାକୁ ମୁହଁ କରି ବସୁଥିବେ ସେମାନେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ  ।  ସିଟ୍ ବେଲ୍ଟ ନ ପିନ୍ଧିଲେ ଡ୍ରାଇଭରଙ୍କଠାରୁ ଆଦାୟ ହେବ ୧୦୦୦ଟଙ୍କା ଜରିମାନା ।

ସେହିପରି ଗାଡି ପଛ ସିଟ୍ କଭର ଯେପରି ସିଟ୍ ବେଲ୍ଟ ପିନ୍ଧିବାରେ ବାଧକ ନ ସାଜେ ତାହାକୁ ଫିଟନେସ୍‌ ବେଳେ ଯାଞ୍ଚ କରିବାକୁ କୁହାଯାଇଛି।

କିଛି ଦିନ ପୂର୍ବେ  କାର୍‌ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଲା। ମୃତ୍ୟୁ ସମୟରେ ସାଇରସ୍‌ ମିସ୍ତ୍ରୀ କାର୍‌ର ପଛ ସିଟ୍‌ରେ ବସିଥିବା ବେଳେ ସିଟ୍‌ ବେଲ୍ଟ ପିନ୍ଧି ନ ଥିଲେ। ଫଳରେ ଦୁର୍ଘଟଣାରେ ଗୁରୁତର ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ଗୁରୁତର ସହ ନେଇଛି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ । ଏଥିସହ କାର୍‌ ପଛ ସିଟ୍‌ରେ ବସୁଥିବା ବ୍ୟକ୍ତି ମଧ୍ୟ ଯେପରି ସିଟ୍‌ ବେଲ୍ଟ ପିନ୍ଧନ୍ତି ତାହା ନିଶ୍ଚିତ କରିବାକୁ ବିଭିନ୍ନ ରାଜ୍ୟରେ କଡ଼ାକଡ଼ି ଚେକିଂ ଆରମ୍ଭ ହେଲାଣି। ଏନେଇ  ସମସ୍ତ ରାଜ୍ୟର ପରିବହନ କମିଶନରଙ୍କୁ ଚିଠି ଲେଖି ସିଟ୍ ବେଲ୍ଟ ପିନ୍ଧିବା ନିୟମ କଡାକଡି କରିବାକୁ କୁହାଯାଇଛି। ଏବେ ଓଡ଼ିଶାରେ ଏହି ନିୟମ କଡ଼ାକଡ଼ି ଲାଗୁ ହେବାକୁ ଯାଉଛି।

Show More
Back to top button