

ସତ୍ୟଶିଖା( ଭୁବନେଶ୍ୱର )୨୯.୦୯ . ୨୦୨୨: ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କର ଗତକାଲି ପରଲୋକ ହୋଇଥିବା ବେଳେ ଆଜି ହେବ ଶେଷକୃତ୍ୟ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ୪ ଥର ସାଂସଦ ଥିଲେ ଏଥିସହ ପ୍ରଥମ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଥିଲେ ଜୟନ୍ତୀ ।
୧୯୩୨ ମସିହା ଏପ୍ରିଲ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତୀ ପଟ୍ଟନାୟକ । ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ସହ ଜଣେ ଭଲ ବକ୍ତା ଥିଲେ ଜୟନ୍ତୀ। ଓଡ଼ିଶାରୁ ପ୍ରଥମ ମହିଳା ଭାବେ ଲୋକସଭାକୁ ୧୯୮୧ ମସିହାରେ କଂଗ୍ରେସ ଟିକେଟରେ କଟକରୁ ନିର୍ବାଚିତ ହୋଇଥିଲେ ।
ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ବହୁ ଆଗ ଧାଡ଼ିର ନେତା ଜୟନ୍ତୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜୟନ୍ତୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶାର ସାରସ୍ୱତ ଜଗତ ତଥା ଜନଜୀବନକୁ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ଟୁଇଟ୍ କରିଛନ୍ତି ରାଜ୍ୟପାଳ ।