

ସତ୍ୟଶିଖା(ଭୁବନେଶ୍ୱର )୨୪.୦୯ . ୨୦୨୨: ଆସନ୍ତା ୩୦ ତାରିଖରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ସମୟସୀମା ସମାପ୍ତ ହେବ । ୨୦୧୯, ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି (୧, ୨, ୩, ୪ ଶେଷ ନମ୍ବର) ଏହି ଅବଧି ମଧ୍ୟରେ ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟ । ଆସନ୍ତା ଅକ୍ଟୋବର ୧ ତାରିଖରେ ଏଚଏସଆରପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା ।
ତେବେ ଏଚଏସଆରପି ନମ୍ବର ପ୍ଲେଟ ଲଗାଇବା ପାଇଁ ଜନସାଧାରଣ ଏବେ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି । ଅନେକ ଲୋକଙ୍କର ନମ୍ବର ପ୍ଲେଟ ଲଗାଇବା ତାରିଖ ନଭେମ୍ବର ମାସରେ ପଡ଼ିଛି । ତେଣୁ ସେମାନେ ଅକ୍ଟୋବର ମାସରେ ଗାଡ଼ି ଚଳାଇ ପାରିବେ କି ନା ସେନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ଏହି କମ୍ ସମୟ ମଧ୍ୟରେ ସେମାନଙ୍କ ଗାଡ଼ିରେ କେମିତି ନମ୍ବର ପ୍ଲେଟ୍ ଲାଗିବ ସେନେଇ ଅନେକ ଲୋକଙ୍କ ହୃଦ୍ ସ୍ପନ୍ଦନ ବଢ଼ିଯାଇଛି ।
ଅନ୍ୟପକ୍ଷରେ ପୂର୍ବରୁ ବନ୍ୟା ଯୋଗୁଁ ୧, ୨ ଅଙ୍କ ଶେଷ ହେଉଥିବା ଗାଡ଼ି ନମ୍ବର ପାଇଁ ଅବଧି ମାସେ ବଢ଼ାଯାଇଥିଲା । ଆଉ ସମୟ ବୃଦ୍ଧି ହେବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଯାଞ୍ଚ ବେଳେ ନିୟମ ଉଲ୍ଲଂଘନକାରୀ ଧରାପଡ଼ିଲେ ୧୦ ହଜାର ଫାଇନ ଦେବାକୁ ପଡ଼ିବ । ତେଣୁ ଏଭଳି ସ୍ଥିତିରେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପରିବହନ କର୍ତ୍ତୃପକ୍ଷ ଏହି ଅବଧି ବୃଦ୍ଧି କରିବାକୁ ଜନସାଧାରଣ ଦାବି କରିଛନ୍ତି ।