ସତ୍ୟଶିଖା(ଭୋପାଲ )୦୮.୦୯ . ୨୦୨୨: ଚର୍ଚ୍ଚାରେ ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର-ଆଲିଆ। ଶୁକ୍ରବାର ରିଲିଜ ହେବାକୁ ଯାଉଛି ଅପ୍କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ଫୁଲ୍ ଦମ୍ରେ ଏହି ଫିଲ୍ମର ପ୍ରମୋସନ୍ ପାଇଁ ଦୁହେଁ ଲାଗିପଡିଛନ୍ତି। ତେବେ ଫିଲ୍ମ ରିଲିଜ ପୂର୍ବରୁ ଉଭୟ ରଣବୀର କପୁର ଓ ଆଳିଆ ଭଟ୍ଟ ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ କରାଯାଇଛି ତୀବ୍ର ବିରୋଧ। ଦର୍ଶନ ନକରି ତାଙ୍କୁ ଅଧାରୁ ଫେରିବାକୁ ପଡିଛି। 
ନିକଟରେ ରଣବୀର କପୁର ଗୋ ମାଂସକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ମଙ୍ଗଳବାର ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ମଙ୍ଗଳବାର ମଧ୍ୟପ୍ରଦେଶ ଉଜ୍ଜୟିନୀରେ ଥିବା ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ପାଇଁ ରଣବୀର ତାଙ୍କ ପତ୍ନୀ ଆଲିଆଙ୍କ ସହ ଯାଇଥିଲେ। ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ସଫଳତା ପାଇଁ ପ୍ରାର୍ଥନା କରିବା ଲାଗି ପ୍ରଡକସନ୍ ଟିମ୍ଙ୍କ ସହ ଏହି ଷ୍ଟାର୍ ପତି ପତ୍ନୀ ମହାକାଳେଶ୍ୱର ମନ୍ଦିରକୁ ଆସିଥିଲେ। ତାଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ମଧ୍ୟ ଥିଲେ। କିନ୍ତୁ ତାଙ୍କୁ ଦେଖି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ବିରୋଧ କରିଥିଲେ। ପୁଲିସ କର୍ମଚାରୀମାନଙ୍କ ସହିତ ହିନ୍ଦୁ ସଙ୍ଗଠନର କର୍ମୀମାନଙ୍କ ଯୁକ୍ତିତର୍କ ଏବଂ ଧସ୍ତାଧସ୍ତି ଯୋଗୁଁ ପ୍ରାୟ ୨ ଘଣ୍ଟାରୁ ଅଧିକ କାଳ ମନ୍ଦିର ଚାରିପଟେ ହଙ୍ଗାମା ଲାଗି ରହିଥିଲା। ବିକ୍ଷୋଭକାରୀମାନେ କଳା ପତାକା ପ୍ରଦର୍ଶନ କରି ଜୟ ସୀତାରାମ ‘ସ୍ଲୋଗାନ୍’ ଦେଇଥିଲେ।