

ସତ୍ୟଶିଖା( ଭୁବନେଶ୍ୱର)୨୫.୦୮ . ୨୦୨୨: ‘ଇଲେକ୍ଟୋରାଲ୍’ ଆଇନ ଉଲ୍ଲଂଘନ କରି ନିଜ ନାଁରେ ଖଣି ‘ଲିଜ୍’ ନେଇଥିବା ଅଭିଯୋଗରେ ବିଧାୟକ ପଦରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଅଯୋଗ୍ୟ କରିବା ପାଇଁ ଆଗତ ଆବେଦନ ବିଷୟରେ ଭାରତର ନିର୍ବାଚନ କମିସନ୍ ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈସ୍ଙ୍କ ନିକଟକୁ ତା’ର ମତ ପତ୍ର ଜରିଆରେ ପଠାଇ ଦେଇଛି ବୋଲି ଆଜି ବିଶେଷସୂତ୍ରରୁ ଜଣାପଡ଼ିଛି।
ଆଜି ସକାଳେ ଉକ୍ତ ଭାରତର ନିର୍ବାଚନ କମିସନ୍ର ମତାମତ ପତ୍ରଟି ଗୋଟାଏ ମୁଦଦିଆ ଲଫାପାରେ ଝାଡ଼ଖଣ୍ଡ ରାଜଭବନକୁ ପଠାଇ ଦିଆଯାଇଛି ବୋଲି ବିଶେଷସୂତ୍ରରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ପ୍ରେସ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।
ଝାଡ଼ଖଣ୍ଡର ରାଜ୍ୟପାଳ ପୂର୍ବରୁ ଏହି ଘଟଣା ନିର୍ବାଚନ କମିସନ୍କୁ ରେଫର୍ କରିଥିଲେ।
ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ସୋରେନ୍ଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପ୍ରସ୍ତାବକୁ ଭାରତର ନିର୍ବାଚନ କମିସନ୍ ସୁପାରିସ କରିଛି। ଏବେ ନିର୍ବାଚନ କମିସନ୍ର ମତାମତ ଉପରେ କି ପଦକ୍ଷେପ ନିଆଯିବ ତାହା ରାଜ୍ୟପାଳଙ୍କ ଉପରେ ନିର୍ଭର କରେ। ବ୍ୟକ୍ତିଗତ କାର୍ଯ୍ୟରେ ରାଜ୍ୟପାଳ ରମେଶ ବୈସ୍ ସୋମବାରଠାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଅଛନ୍ତି। ଆଜି ସେ ରାଞ୍ଚି ଫେରିବା କଥା।
ନିଜ ନାମରେ ପଥର ଚିପ୍ସ୍ ଖଣି ଲିଜ୍ ଭଳି ଲାଭଜନକ ବ୍ୟବସାୟ ଲିଜ୍ ନେଇଥିବାରୁ ସୋରେନ୍ଙ୍କୁ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ରାଜ୍ୟ ବିରୋଧୀ ଦଳ ‘ବିଜେପି’ ଝାଡ଼ଖଣ୍ଡ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିଲା।
ଭାରତର ନିର୍ବାଚନ କମିସନ୍ ରାଜ୍ୟପାଳଙ୍କ ନିକଟକୁ ପଠାଇଥିବା ସୁପାରିସ ପତ୍ରରେ ଆଉ କ’ଣ ସବୁ ଉଲ୍ଲେଖ ଅଛି ତାହା ଜଣାଇବାକୁ ବରିଷ୍ଠ ସରକାରୀ ଅଧିକାରୀମାନେ ମନା କରି ଦେଇଛନ୍ତି। ସେମାନେ କହିଛନ୍ତି ଯେ, ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଔପଚାରିକ ପ୍ରକ୍ରିୟା ଶେଷ ହେବା ପରେ ଯାଇ ତାହା ସେୟାର୍ କରାଯିବ।