ନ୍ୟୁଜ୍ରାଜ୍ୟ

ଚିନ୍ତା ବଢ଼ାଇଲା ତେଲ ନଦୀ, ପ୍ରବଳ ବନ୍ୟା ସମ୍ଭାବନା !

ସତ୍ୟଶିଖା( ଭୁବନେଶ୍ୱର )୧୫ .୦୮. ୨୦୨୨: ପ୍ରଥମେ କୁହାଯାଇଥିଲା ମହାନଦୀରେ ଛୋଟ ବନ୍ୟା ଆସିପାରେ। ଗତକାଲି ଏସ୍‌ଆର୍‌ସି କହିଲେ ମଧ୍ୟମ ଧରଣର ବନ୍ୟା ହୋଇପାରେ। କିନ୍ତୁ ବର୍ତ୍ତମାନର ସ୍ଥିତି ଯାହା, ଏକ ବଡ଼ ବନ୍ୟା ମଧ୍ୟ ହୋଇପାରେ। ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି।

ଏସ୍‌ଆରସି ପ୍ରଦୀପ ଜେନା କହିଛନ୍ତି, ଗତକାଲି ତେଲ୍ ନଦୀରୁ ଦେଢ଼ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ମିଶୁଥିଲା। ଆଜି ତାହା ବଢ଼ି ସାଢ଼େ ୫ ଲକ୍ଷ କ୍ୟୁସେକ୍ ହେଲାଣି। ସେହିପରି ଉପର ମୁଣ୍ଡରୁ ହୀରାକୁଦକୁ ପ୍ରାୟ ୯ଲକ୍ଷ କ୍ୟୁସେକ୍ ଜଳ ପଶୁଛି। ଉପରମୁଣ୍ଡର ୯ ଲକ୍ଷ ଓ ତେଲ୍ ନଦୀର ସାଢ଼େ ୫ ଲକ୍ଷ ଜଳ ମହାନଦୀରେ ପ୍ରବେଶ କରିବା ଦ୍ୱାରା ପାଇଁ ଚିନ୍ତା ବଢ଼ିଛି। ସବୁ ପାଣି ମିଶିଗଲେ ପ୍ରବଳ ବନ୍ୟା ହୋଇପାରେ।

ସେ ଆହୁରି କହିଛନ୍ତି, ପ୍ରବଳ ବନ୍ୟା ଏଡ଼ାଇବାକୁ ହୀରାକୁଦର ୮ଟି ଗେଟ୍ ବନ୍ଦ କରୁଛୁ। ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ୮ଟି ଗେଟ୍ ବନ୍ଦ କରି ସ୍ଥିତିକୁ ଦେଖିବୁ। ୮ଟି ଗେଟ୍ ବନ୍ଦ କରିଦେଲେ ପ୍ରାୟ ୧.୨୦ ଲକ୍ଷ କ୍ୟୁସେକ୍ ଜଳ କମିଯିବ। ମୁଣ୍ଡଳିରେ ୧୦.୫/୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ନହେଲେ ୧୨.୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ଏବେ ମୁଣ୍ଡଳିରେ ୯.୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆସନ୍ତକାଲି ସଂଧ୍ୟା ବେଳକୁ ମୁଣ୍ଡଳିକୁ ୧୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରିପାରେ ବୋଲି ଏସ୍‌ଆରସି କହିଛନ୍ତି।

ବନ୍ୟା ଯୋଗୁ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକ ପ୍ରଭାବିତ ହେବ। ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ୩୦ରୁ ୪୦ ଭାଗ ପ୍ରଭାବିତ ହେବ। କଟକର ନିଶ୍ଚିନ୍ତକୋଇଲି, ଆଠଗଡ଼ ଓ ବାଙ୍କୀରେ ପ୍ରଭାବ ପଡ଼ିବ। ସେହିପରି ନୟାଗଡ଼ର କଣ୍ଟିଲୋ, ଭାପୁର ଓ ବୌଦ୍ଧର ହରଭଙ୍ଗା ଜଳମଗ୍ନ ହେବ।  ସୋନପୁର ଜିଲ୍ଲାର ବୀରମହାରାଜପୁର ଉପରେ ପ୍ରଭାବ ପଡ଼ିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି।

ସହଯୋଗ ପାଇଁ ଆହ୍ୱାନ ଏହାସହ ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏସ୍‌ଆରସି। ରାତିରେ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ଗାଁ ଲୋକ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହଯୋଗ ଲୋଡ଼ିଛନ୍ତି।

Show More
Back to top button