ଦୁର୍ଘଟଣାନ୍ୟୁଜ୍

ମୁମ୍ବାଇରେ ୪ ମହଲା କୋଠା ଭୁଶୁଡ଼ିବା ଘଟଣା; ୧୯ ମୃତ, ୧୪ ଜଣ ଗୁରୁତର

ସତ୍ୟଶିଖା( ମୁମ୍ବାଇ )୨୯.୦୬. ୨୦୨୨:  ମୁମ୍ବାଇର କୁର୍ଲା ଅଞ୍ଚଳରେ ସୋମବାର ରାତିରେ ଚାରି ମହଲା କୋଠା ଭୁଶୁଡ଼ିପଡ଼ିବା ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣା ଯୋଗୁଁ ୧୪ ଜଣ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁର୍ଲାର ନାଇକ୍‌ନଗରରେ ଘଟିଥିବା ଏହି ଅଭାବନୀୟ ଘଟଣା ପରେ ଅନେକ ଲୋକ ଚାପି ହୋଇଯାଇଥିଲେ । ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ ।

ଏହି ପୁରୁଣା କୋଠାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ପରେ ଏହାକୁ ମରାମତି ଯୋଗ୍ୟ ବୋଲି କୁହାଯାଇଥିଲା । ଘଟଣା ପରେ ନାଇକନଗର ହାଉସିଂଗ ସୋସାଇଟି ପରିସରରେ ଥିବା ୪ ମହଲା ବିଶିଷ୍ଟ ଏକ ଅନ୍ୟ କୋଠାକୁ ମଧ୍ୟ ଖାଲି କରିଦିଆଯାଇଛି । କାରଣ ଏହାକୁ ମଧ୍ୟ ବିପଦପୂର୍ଣ୍ଣ ମନେ କରାଯାଇଛି ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୧୯୭୩ ମସିହାରେ ନିର୍ମିତ କୋଠାଗୁଡ଼ିକର ମରାମତି ପାଇଁ ପଦକ୍ଷେପ ନିଆଯାଇଥିଲା । କିନ୍ତୁ କିଛି କାରଣ ଯୋଗୁଁ ମରାମତି ହେଇାପାରି ନଥିଲା । ଦମକଳ, ପୋଲିସ, ପୌରପାଳିକାର ଅଧିକାରୀମାନେ ଏନଡିଆରଏଫର ୨ଟି ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ଏନଡିଆରଏଫର ଉପକମାଣ୍ଡର ଆଶୀଷ କୁମାର କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ମଙ୍ଗଳବାର ସନ୍ଧ୍ୟାରେ ଶେଷ ହୋଇଥିଲା । କିନ୍ତୁ ଏବେ ବି ଭଗ୍ନାବଶେଷ ହଟାଇବାକୁ କାମ ଜାରି ରହିଛି ।

Show More
Back to top button