ନ୍ୟୁଜ୍ରାଜ୍ୟ

୧୪ ଜିଲ୍ଲାରେ କାଳବୈଶାଖୀ: ଜାରିହେଲା ୟେଲୋୱାର୍ଣ୍ଣିଂ

ସତ୍ୟଶିଖା( ଭୁବନେଶ୍ୱର )୨୯.୦୬. ୨୦୨୨:   ପୂର୍ବ-ପଶ୍ଚିମ ଟ୍ରଫ୍ ଲାଇନ୍ ବର୍ତ୍ତମାନ ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଉତ୍ତର-ପୂର୍ବ ରାଜସ୍ଥାନ, ଉତ୍ତର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଦକ୍ଷିଣ ଓଡ଼ିଶା ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ସକ୍ରିୟ ରହିଛି । ଏବଂ ସମୁଦ୍ର ପତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି । ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ କାଳବୈଶାଖୀ ଓ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୨୯ ତାରିଖ, ବୁଧବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ଏହାକୁ ଦୃଷ୍ଟିରେ ରଖି ୧୪ଟି ଜିଲ୍ଲାଗୁଡ଼ିକ ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଏହି ସମୟ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଗଜପତି, ଗଞ୍ଜାମ ଏବଂ ଓଡିଶାର ବାକି ଜିଲ୍ଲା ଗୁଡ଼ିକର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି । ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଭୁବନେଶ୍ୱରର କିଛି ସ୍ଥାନରେ ମଧ୍ୟମରୁ ହାଲୁକା ବର୍ଷା ସହ ବଜ୍ରପାତ ଓ କଟକର କିଛି ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ହୋଇପାରେ । ଅପରକ୍ଷେ ଆସନ୍ତା ୩୦ ତାରିଖ ପରେ ବର୍ଷା ବଢିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଏକ ଟ୍ରପଲାଇନ ସୃଷ୍ଟି ହୋଇପାରେ । ଏହା ସହିତ ଘୂର୍ଣ୍ଣିବଳୟ ଓ ସକ୍ରିୟ ମୌସୁମୀ ବର୍ଷା ପରିମାଣ ବଢାଇବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି ।

Show More
Back to top button