ଅପରାଧନ୍ୟୁଜ୍ରାଜ୍ୟ

ରାଜଧାନୀରେ ପୁଣି ସକ୍ରିୟ କେବିଏନ ଗ୍ୟାଙ୍ଗ, ଖଣ୍ଡା, ଭୁଜାଲି ବୁଲାଇଲେ; ‌ସ୍କର୍ପିଓ ପୋଡ଼ିଦେଲେ

ସତ୍ୟଶିଖା(ଭୁବନେଶ୍ୱର)୨୧.୦୬. ୨୦୨୨ : ଖଣ୍ଡଗିରି ଥାନା ଅନ୍ତର୍ଗତ ଡେଲଟା ଛକରେ ସୋମବାର ସନ୍ଧ୍ୟାରେ ଘଟିଛି ତୁମୁଳ କାଣ୍ଡ। କିଛି ଦୁର୍ବୃତ୍ତ ଏକ ସ୍କର୍ପିଓ ଗାଡ଼ିକୁ ପୋଡି ଦେଇଛନ୍ତି। ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଉକ୍ତ ଗାଡ଼ି ପାତ୍ରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି। ଧଳା ରଙ୍ଗର ଉକ୍ତ ସ୍କପିଓ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିଲା। କିଛି ଅସାମାଜିକ ଯୁବକ ରାସ୍ତା ଉପରେ ଖଣ୍ଡା, ଭୁଜାଲି ବୁଲାଇ ଆତଙ୍କ ଖେଳାଇବା ସହ ଏକ ସ୍କର୍ପିଓକୁ ପୋଡ଼ି ଦେଇଛନ୍ତି। ଦୁର୍ବୁତାଙ୍କ ଏପରି କାର୍ଯ୍ୟକଳାପକୁ ରେକର୍ଡିଂ କରୁଥିବା ଜଣେ ଟ୍ରାଫିକ୍‌ ପୁଲିସ୍‌କୁ ସେମାନେ ଲୁହାଛଡ଼ରେ ଆକ୍ରମଣ କରି ତାଙ୍କ ମୋବାଇଲ୍‌ ଲୁଟି ନେଇଥିଲେ।

ପ୍ରାୟ୪୫ ମିନିଟ୍‌ ଧରି ରାଜରାସ୍ତା ଉପରେ ଏମିତି ଆତଙ୍କ ଖେଳାଇଥିଲେ ଦୁର୍ବୁତାମାନେ। ଯାହା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇଦେଇଥିଲା। ଏଥିପାଇଁ ଉକ୍ତ ରାସ୍ତା ଦେଇ ଯାତାୟାତ ମଧ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଖଣ୍ଡଗିରି ପୁଲିସ୍‌ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ଏହି ଘଟଣା ପଛରେ କେବିଏନ୍‌ ଗ୍ୟାଙ୍ଗ୍‌ ସହ ବାପି ନାମକ ଜଣେ ଯୁବକଙ୍କ ସଂପୃକ୍ତି ଥିବା ଜଣାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍‌ ରାତିଅଧିଆ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି।

ସୂଚନା ମୁତାବକ ୩ଟି ବାଇକରେ ୫ରୁ ଅଧିକ ଯୁବକ ଆସି ଗାଡି ମାଲିକ କୁଆଡେ ଗଲା ବୋଲି କହି ଡ୍ରାଇଭରଙ୍କୁ ପଚାରିବା ସହ ଗାଳିଗୁଲଜ କରିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ଗାଡି ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ବସ୍ତିର କେତେଜଣ ଯୁବକ ଏଭଳି କାଣ୍ଡ ଘଟାଇଥାଇପାରନ୍ତି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି।

Show More
Back to top button