ରାଜନୀତି

ଆତ୍ମପ୍ରଚାର ଓ ଅହଙ୍କାର ଛାଡ଼ି କରୋନା ମୁକାବିଲା ପାଇଁ ମାଷ୍ଟରପ୍ଲାନ୍ ହେଉ: ବିଜୟ ମହାପାତ୍ର

ଭୁବନେଶ୍ୱର (ସତ୍ୟଶିଖା): ଆତ୍ମପ୍ରଚାର ଓ ଅହଙ୍କାର ଛାଡ଼ି ସେବା ମନୋବୃତ୍ତି ସହ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ରାଜ୍ୟ ସରକାର ତୁରନ୍ତ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରନ୍ତୁ। ବାରମ୍ବାର କଥା ନବଦଳାଇ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାମୂହିକ ନିଷ୍ପତ୍ତି ନିଆଯାଉ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ଏକ ଭିଡିଓ ସନ୍ଦେଶ ଜାରି କରି ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କ କେତେକ ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ କିଛି ମୁଷ୍ଟିମେୟ ଲୋକ ନିଜର ଅହଙ୍କାର ଛାଡ଼ିନପାରି ବାରମ୍ବାର କଥା ବଦଳାଇ ପରିସ୍ଥିତିକୁ ଜଟିଳ କରୁଛନ୍ତି। ସାଧାରଣ ଲୋକ କେବଳ ହନ୍ତସନ୍ତ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କରୋନା ରାକ୍ଷାସ ସହ ଲଢ଼ିବା ପାଇଁ ସମସ୍ତେ ଦଳମତ ନିର୍ବିଶେଷରେ ରାଜ୍ୟ ସରକାରଙ୍କୁ ସହଯୋଗ କରୁଛନ୍ତି। କିନ୍ତୁ ସରକାରୀ କଳରେ ଥିବା କିଛି ଲୋକ ହଠାତ୍ କିଛି ନଭାବି ନଚିନ୍ତି ଘୋଷଣା କରୁଛନ୍ତି। ସେମାନେ ଭାବିବା ଉଚିତ୍ ଯେ ଏବେ ସମୟ ହେଉଛି ଦାୟିତ୍ୱପୂର୍ଣ୍ଣ ସମୟ। ସେମାନଙ୍କ ଆଡ଼କୁ ଲୋକେ ଆଶା ବାନ୍ଧି ଚାହିଁ ବସିଛନ୍ତି। କେବଳ ନିଜ ପ୍ରଚାର କରିବସିଲେ ଅହଙ୍କାର ଜମାଟ ବାନ୍ଧି ବସେ। ଏପର୍ଯ୍ୟନ୍ତ ସେମାନଙ୍କର ଅହଙ୍କାର ଭାଙ୍ଗୁନି। ସେ ଗତ କିଛିଦିନ ମଧ୍ୟରେ ୫ଟି ରାଜ୍ୟରେ ଥିବା ଲୋକଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଛନ୍ତି। ସେମାନେ ବହୁ ଅସୁବିଧା ମଧ୍ୟରେ ରହିଛନ୍ତି। ଏବେ ସେମାନଙ୍କୁୁ ସରକାର ଆଣିବାକୁ ଯୋଜନା କରିଛନ୍ତି। ସେମାନେ କେଉଁଠି ରହିବେ, କେମିତି ଆସିବେ ସେଥିପାଇଁ ଯୋଜନା କ’ଣ ତାହା କିନ୍ତୁ ଫିଲଡ ଅଭିଜ୍ଞତା ନଥିବା ତଥା ପଂଚାୟତ ଓ ଗାଁର ସ୍ଥିତି କଥା ଜାଣିନଥିବା ଲୋକେ ସ୍ଥିର କରୁଛନ୍ତି। କେବଳ ବାହାରେ ପ୍ରଚାର କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ। ସମସ୍ୟାର ସମାଧାନ ପାଇଁ ସେତିକି ଆନ୍ତରିକତାର ଆବଶ୍ୟକତା ଅଛି। ନିଜସ୍ୱ ପ୍ରଚାରକୁ କମ୍ କରାଯିବା ଦରକାର। ଲୋକଙ୍କ ଜୀବନକୁ ବଂଚାଇବା ଓ ଲୋକଙ୍କୁ ଜୀବିକା ଯୋଗାଇବା ହିଁ ସରକାରଙ୍କ ମୁଖ୍ୟ ଦାୟିତ୍ୱ। ଏଥିପାଇଁ ସରକାର ଯୋଜନା ପ୍ରସ୍ତୁତ କରନ୍ତୁ। ଏଥିପାଇଁ ମାଷ୍ଟର ପ୍ଲାନ୍ ତିଆରି ନକଲେ କରୋନା ରାକ୍ଷାସକୁ ହରାଇବା ସମ୍ଭବପର ହେବନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

[ad_2]
Show More
Back to top button