ଗୋଟିଏ ଦିନରେ ୬୮୪ କରୋନା ରୋଗୀ ସୁସ୍ଥ, ଆରୋଗ୍ୟ ହାର ୨୩.୩%କୁ ବୃଦ୍ଧି


ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଯେଉଁ ହାରରେ ବଢ଼ୁଛି ସେହି ହାରରେ ଲୋକମାନେ ବି ଏହି ମହାମାରୀ ଭାଇରସରୁ ସୁସ୍ଥ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ରେକର୍ଡ ୬୮୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସେହିପରି ଦେଶରେ ଆରୋଗ୍ୟ ହାର ୨୨.୧୭%ରୁ ବୃଦ୍ଧି ପାଇ ୨୩.୩%ରେ ପହଞ୍ଚି ଯାଇଛି। ଏହା ନିଶ୍ଚିତ ଭାବେ ଭଲ ଖବର ଓ କରୋନା ମୁକାବିଲାରେ ଭାରତ ଆଗରେ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି।
ଆହୁରି ପଢ଼ନ୍ତୁ
ସେ କହିଛନ୍ତି, ୨୪ ଘଣ୍ଟାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଭଲ ଖବର ଆସିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୬୮୪ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଏଯାଏ ଦେଶରେ ମୋଟ ୬,୮୬୯ ଜଣ ସୁସ୍ଥ ହୋଇ ସାରିଲେଣି।
ଗତ ୨୪ ଘଣ୍ଟାରେ ୧୫୪୩ଟି ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୪୩୫ ଛୁଇଁଛି।
ସେହିପରି ୨୪ ଘଣ୍ଟାରେ ୬୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୩୪ରେ ପହଞ୍ଚି ଯାଇଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ୨୧,୬୩୨ ଜଣ ଚିକିତ୍ସିତ ହେଉଛନ୍ତି। ୨୪ ଘଣ୍ଟାରେ ୬୨ ଜଣଙ୍କ ମୃତ୍ୟୁ ଘଟିବା ଦେଶରେ ପ୍ରଥମ ଘଟଣା। ପୂର୍ବରୁ ଗୋଟିଏ ଦିନରେ କେବେ ହେଲେ ଏତେ ସଂଖ୍ୟକ ଲୋକ ଦେଶରେ ପ୍ରାଣ ହରାଇ ନଥିଲେ।