ନ୍ୟୁଜ୍ରାଜ୍ୟ

ଆଜି ଗୁପ୍ତ ସେନାପଟା ଲାଗି ନୀତି, ଦିନ ୩ଟା ଯାଏ ସାଧାରଣ ଦର୍ଶନ ବନ୍ଦ

ସତ୍ୟଶିଖା( ଭୁବନେଶ୍ୱର )୧୩.୦୬. ୨୦୨୨ : ଆସନ୍ତାକାଲି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା। ଏଥିପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଜି ଗୁପ୍ତ ସେନାପଟା ଲାଗି ନୀତି ହେବାକୁ ଥିବା ବେଳେ ସକାଳୁ ଅପରାହ୍ଣ ୩ଟା ଯାଏ ବନ୍ଦ ରହିବ ସାଧାରଣ ଦର୍ଶନ। ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଲାଗି ହେବାକୁ ଥିବା ବେଳେ ଏଥିପାଇଁ ସତ୍ୟବାଦୀ ବକୁଳବନରୁ ଆସି ସାରିଛି ବଉଳକାଠ।

ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଗତକାଲି ଚମ୍ପକ ଦ୍ୱାଦଶୀ ଅବସରରେ ଶ୍ରୀମନ୍ଦିରରରେ ଦଇତା ପ୍ରବେଶ କରିଛନ୍ତି। ସ୍ନାନଯାତ୍ରା ଓ ଘୋଷଯାତ୍ରାଠୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀଅଙ୍ଗ ସୁରକ୍ଷାରେ ରହିବେ ଏହି ଦାଇତାପତି ସେବାୟତ।

ସ୍ନାନଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏବର୍ଷ ରାତି ୪ଟାରୁ ଠାକୁରଙ୍କ ସ୍ନାନ ପହଣ୍ଡି ଆରମ୍ଭ ହୋଇ ସକାଳ ୬ଟା ସୁଦ୍ଧା ସାରିବାକୁ ନୀତି ନିର୍ଘଣ୍ଟ ହୋଇଛି।

ଦୁଇବର୍ଷର ବ୍ୟବଧାନ ପରେ ପୁଣି ସ୍ନାନବେଦୀରୁ ଶ୍ରୀଜିଉଙ୍କୁ ପ୍ରତ୍ୟକ୍ଷ ଦର୍ଶନ ପାଇବେ ଭକ୍ତ। ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରଥମ ଥର ପାଇଁ ମାର୍କେଟ୍ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଛି ବ୍ୟାରିକେଡ। ଯାହାକି ଦୁଇ ପ୍ରକାରର। ଯେଉଁମାନେ ବଡଦାଣ୍ଡରେ କେବଳ ଦଣ୍ଡାୟମାନ ହୋଇ ଚତୁର୍ଦ୍ଧାବିଗ୍ରହଙ୍କ ଦୁଲ୍ଲଭ ସାନ୍ନ ଦେଖିବାକୁ ଇଚ୍ଛା କରିବେ ସେମାନଙ୍କ ପାଇଁ ଗୋଟିଏ ବ୍ୟାରିକେଡ୍ କରାଯାଇଛି। ଯେଉଁ ଭକ୍ତ ଶ୍ରୀମନ୍ଦିର ପଟୁ ସ୍ନାନବେଦୀ ନିକଟକୁ ଆସି ହାତୀ ବେଶ ଦେଖିବାକୁ ଚାହିଁବେ, ସେଥିପାଇଁ ଆଉ ଏକ ବ୍ୟାରିକେଡ ହୋଇଛି।

ସେହିପରି ଭକ୍ତଙ୍କ ପୁରୀ ଆଗମନବେଳେ ଟ୍ରାଫିକ୍ ବ୍ୟବସ୍ଥା ସହ ଗାଡ଼ି ପାର୍କିଂ ପାଇଁ ବି ଉତ୍ତମ ବ୍ୟବସ୍ଥା ହୋଇଥିବା ପୁରୀ ଏସ୍‌ପି କହିଛନ୍ତି। ସ୍ନାନଯାତ୍ରାବେଳେ ପୁରୀରେ ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ  ଏସ୍‌ପି ସୂଚନା ଦେଇଛନ୍ତି।

Show More
Back to top button