ଧର୍ମନ୍ୟୁଜ୍ପର୍ଯ୍ୟଟନରାଜ୍ୟ

ରଥ ଉପରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ ସେବାୟତ

ସତ୍ୟଶିଖା (ପୁରୀ) ୦୮.୦୬.୨୦୨୨: ରଥ ଉପରେ ମୋବାଇଲ ଫୋନ୍‌ ବ୍ୟବହାର କରିପାରିବେ ନାହିଁ ସେବାୟତ। ମଙ୍ଗଳବାର ଏଭଳି କଟକଣା ଜାରି କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଭକ୍ତଙ୍କୁ ତିନି ରଥ ସ୍ପର୍ଶ ପାଇଁ ଅନୁମତି ଦେବାକୁ ସ୍ଥିର କରାଯାଇଛି। ମହାପ୍ରଭୁ ରଥ ଉପରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିବା ପରେ ଆଗ୍ରହୀ ଭକ୍ତ ରଥ ସ୍ପର୍ଶ କରିପାରିବେ। କିନ୍ତୁ ରଥ ଉପରେ ଚଢ଼ିବା ପାଇଁ କୌଣସି ଅଣସେବାୟତଙ୍କୁ ଅନୁମତି ଦିଆଯିବନାହିଁ। ସେହିପରି ସ୍ନାନଯାତ୍ରା ଦିନ ଠାକୁରଙ୍କ ସମ୍ମୁଖରେ ସେବାୟତ ଛିଡ଼ା ନ ହେବାକୁ ପରାମର୍ଶ ଦିଆଯାଇଛି। ହାତୀ ବେଶର ସୁରକ୍ଷା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରିଥିଲେ। ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ପାଇଁ ପ୍ରଶାସନ ପ୍ରସ୍ତୁତ କରିଥିବା ବ୍ୟବସ୍ଥା ଅନୁମୋଦନ କରାଯାଇଛି।

ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ବଡ଼ଦାଣ୍ଡ ଏବଂ ସମୁଦ୍ରକୂଳ ସମେତ ପୁରୀ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଏଲ୍‌ଇଡି ସ୍କ୍ରିନ୍‌ ଲଗାଯିବ। ଭକ୍ତମାନେ ଏହି ସ୍କ୍ରିନ୍‌ ମାଧ୍ୟମରେ ଶ୍ରୀଜୀଉଙ୍କ ନୀତିକାନ୍ତି ଦେଖିବାର ସୁଯୋଗ ପାଇପାରିବେ।

ଶ୍ରୀଜୀଉଙ୍କ ରାଜେନ୍ଦ୍ରାଭିଷେକ, ଋକ୍ମିଣୀ ହରଣ ଏକାଦଶୀ, ଦେବସ୍ନାନ ପୂର୍ଣ୍ଣିମା, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ହେରା ପଞ୍ଚମୀ, ସନ୍ଧ୍ୟାଦର୍ଶନ, ବାହୁଡ଼ା ଯାତ୍ରା, ରଥ ଉପରେ ସୁନାବେଶ, ଅଧରପଣା ଭୋଗ ଏବଂ ନୀଳାଦ୍ରି ବିଜେ ନୀତିନିର୍ଘଣ୍ଟ ଅନୁମୋଦନ କରାଯାଇଛି।

Show More
Back to top button