ଆଶା ବଢ଼ାଇଲା ମୌସୁମୀ, ଚାଷୀ ଖୁସ୍


ସତ୍ୟଶିଖା( ଭୁବନେଶ୍ୱର )୩୧.୦୫.୨୦୨୨ : ପ୍ରତିଥର ଲୁଚକାଳି ଖେଳିଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ଏଥର ଧାର୍ଯ୍ୟ ସମୟର ଦୁଇ ଦିନ ପୂର୍ବରୁ କେରଳ ଉପକୂଳ ଛୁଇଁଛି । ତାହା ରଜ ପୂର୍ବରୁ ଓଡ଼ିଶା ଉପକୂଳ ସ୍ପର୍ଶ କରିବ । ତେଣୁ ରାଜ୍ୟରେ ଖରିଫ୍ ଫସଲ ଭଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଚାଷୀର ମନ ଖୁସ୍ । ଯଦି ସବୁ ଠିକ୍ ଠାକ୍ ରହେ ତାହାଲେ ୨୦୨୧ ତୁଳନାରେ ଚଳିତ ବର୍ଷ ଅଧିକ ୨୬% ପ୍ରତିଶତ ଧାନ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି । ପାଣିପାଗ ବିଶେଷଜ୍ଞଙ୍କ ମତାନୁୁସାରେ ରାଜ୍ୟରେ ବାର୍ଷିକ ଆନୁପାତିକ ବର୍ଷା ୧୪୫୧.୫ ମିଲିମିଟର ହୋଇଥାଏ । ଏଥିରେ ଚାଷ କାର୍ଯ୍ୟ ହେବା ସହ ଜଳସେଚନ ପାଇଁ ବି ଜଳ ମହଜୁଦ୍ ରହିଥାଏ ।
ଚଳିତ ବର୍ଷ ସଠିକ୍ ସମୟରେ ମୌସୁମୀ ବାୟୁ ଚଳନ ହୋଇଥିବାରୁ ଧାର୍ଯ୍ୟ ଆନୁପାତିକ ୧୪୫୧.୨ ମିଲିମିଟର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ତାହା ହେଲେ କିଛି ସମସ୍ୟା ନାହିଁ । ବିଶେଷକରି ଜୁନ୍ରେ ୨୧୬.୫ ମିିମି, ଜୁଲାଇରେ ୩୩୯.୯ ମିମି, ଅଗଷ୍ଟରେ ୩୫୬ ମିମି, ସେପ୍ଟେମ୍ବରରେ ୨୩୧.୯ ମିମି ଓ ଅକ୍ଟୋବରରେ ୧୧୪.୭ ମିମି ସ୍ୱାଭାବିକ ବର୍ଷା ଆବଶ୍ୟକ ପଡ଼ିଥାଏ । ଆକଳନ ଅନୁସାରେ ବର୍ଷା ହେବ ବୋଲି କୁହାଯାଉଛି । ଖରିଫ୍ ଧାନ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ଅଧିକ ହେବ । ତେଣୁ ଏବେଠାରୁ ଚାଷ କାର୍ଯ୍ୟର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ ରାଜ୍ୟରେ ଏବେ ୬୧.୮୦ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ ୨୯.୧୪ ଲକ୍ଷ ହେକ୍ଟର ଉଚ୍ଚ ଜମି, ୧୭.୫୫ ଲକ୍ଷ ହେକ୍ଟର ମଧ୍ୟମ ଧରଣର ଜମି ଓ ୧୫.୧୧ ଲକ୍ଷ ହେକ୍ଟର ନିଚ୍ଚା ଜମି ରହିଛି । ଏଥିରୁ ୮.୦୬ ଲକ୍ଷ ହେକ୍ଟର ଉଚ୍ଚ ଜମିରେ ଖରିଫ୍ ଚାଷ ହେଉଛି ।
ଏହା ସତ୍ତ୍ୱେ ବି ୧୫.୮୦ ଲକ୍ଷ ହେକ୍ଟର ମଧ୍ୟମ କିସମ ଜମି ଓ ୧୪.୯୪ଲକ୍ଷ ହେକ୍ଟର ନିଚ୍ଚ ଜମିରେ ବି ଖରିଫ୍ ଚାଷ ହେଉଛି । ଚାଷ କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୪୮,୬୫,୮୫୦ ଚାଷୀ ସଂଶ୍ଲିଷ୍ଟ ଅଛନ୍ତି । ଏଥିରେ ୯ ଲକ୍ଷ ୦୫ ହଜାର ୧୮୪ ଭାଗ ଚାଷୀ ଥିବାବେଳେ ନାମମାତ୍ର ଚାଷୀ ସଂଖ୍ୟା ୩୬,୩୬୬୫୮, କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୮,୮୭,୨୭୨, ମଧ୍ୟମ ଚାଷୀଙ୍କ ସଂଖ୍ୟା ୩,୩୭,୯୪୫ ଓ ବଡ଼ ଚାଷୀଙ୍କ ସଂଖ୍ୟା ୩,୯୭୫ ସାମିଲ ଅଛନ୍ତିି । ମାତ୍ର ଅଧିକାଂଶ ବର୍ଷରେ ବର୍ଷାର ଅନୀୟମିତତା କାରଣରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଚଳିତ ବର୍ଷ ବର୍ଷା ସଠିକ୍ ମାର୍ଗରେ ହେଲେ ଧାନ ସହ ଅନ୍ୟ କୃଷି ଉତ୍ପାଦନ ଭଲ ହେବ ।