

ସତ୍ୟଶିଖା( ଭୁବନେଶ୍ୱର )୩୧.୦୫.୨୦୨୨ : କାଳବୈଶାଖୀ ପ୍ରଭାବରେ କିଛି ଜିଲ୍ଲାରେ ତାପମାତ୍ରା କମିଥିଲେ ମଧ୍ୟ ପଶ୍ଚିମରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ମଙ୍ଗଳବାର ଠାରୁ ପୁଣି ପଶ୍ଚିମ, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଭୀଷଣ ତାତି ଅନୁଭୂତ ହେବ । ସ୍ଥାନେ ସ୍ଥାନେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ôଚବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସୋମବାର ୧୧ ସହରର ତାପମାତ୍ରା ୪୦ଂ ଉପରେ ରହିଥିଲା । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨.୨ଂ ଥିବାବେଳେ ସୋନପୁରରେ ୪୨ଂ, ଟିଟିଲାଗଡରେ ୪୧.୪ଂ, ବଲାଙ୍ଗିରରେ ୪୧.୩ଂ, ଝାରସୁଗୁଡାରେ ୪୧.୪ଂ, ସମ୍ବଲପୁରରେ ୪୧.୧ଂ, ନୂଆପଡ଼ାରେ ୪୧ଂ, ବରଗଡ଼ରେ ୪୧ଂ, ହୀରାକୁଦରେ ୪୦.୫ଂ, ଭବାନୀପାଟଣାରେ ୪୦ଂ, ମାଲାକାନଗିରି ୪୧ଂ ତାପମାତ୍ରା ରେକର୍ଡ କରାଯାଇଛି ।
ତେବେ ଭୁବନେଶ୍ୱରରେ ରବିବାର ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଛି । କେବଳ ଭୁବନେଶ୍ୱର ନୁହେଁ ଅନ୍ୟ ସହରରେ ମଧ୍ୟ କାଳବୈଶାଖୀ ବର୍ଷା ଏବଂ ଆକାଶ ମେଘାଛନ୍ନ ଥିବା ଯୋଗୁ ଦିନର ତାପମାତ୍ରା ବିଶେଷ ବୃଦ୍ଧି ପାଇନଥିଲା । ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୪.୬ଂ ଥିବାବେଳେ କଟକରେ ୩୫.୪ଂ, ପୁରୀରେ ୩୪.୭ଂ ଓ ବାଲେଶ୍ୱରରେ ୩୭ଂ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ବିଶେଷ ପରିବର୍ତ୍ତନ ହେବ ନାହିଁ । ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯିବ । କେବଳ ପଶ୍ଚିମ ଓଡ଼ିଶା ନୁହେଁ ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ପାରଦ ଉପରମୁହାଁ ରହିବ । ଏହାସହ ଉପକୂଳ ଅଞ୍ଚଳରେ ତାପମାତ୍ରା ୪୦ଂ ପାଖାପାଖି ପହଞ୍ôଚବାର ସମ୍ଭାବନା ରହିଛି । ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଅନୁଭୂତ ହେବ । ଦିନତମାମ ଗୁଳୁଗୁଳି ଅନୁଭୂତ ହେବା ସହ ରାତି ସମୟରେ ମଧ୍ୟ ଗୁଳୁଗୁଳି ହୋଇପାରେ ।
ଅପରପକ୍ଷେ ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଦକ୍ଷିଣ-ଉତ୍ତର ପ୍ରଦେଶ, ବିହାର ମଧ୍ୟ ଦେଇ ଉତ୍ତର-ବଙ୍ଗଳାଦେଶ ଯାଏଁ ପୂର୍ବ-ପଶ୍ଚିମ ଭାବେ ବାୟୁମଣ୍ଡଳରେ ୦.୯ କିମି ଯାଏଁ ଲମ୍ବିଥିବା ନିମ୍ନ ଚାପ ରେଖା ତଥା ଝାଡ଼ଖଣ୍ଡ ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ୧.୫ କିମି ଉଚ୍ଚତାରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଆକାଶ ମେଘୁଆ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୩୧ ତାରିଖ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି ।
ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୨୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ସମୟରେ ବଜ୍ରପାତର ଆଶଙ୍କା ରହୁଥିବାରୁ ଲୋକଙ୍କୁ ଏହି ସମୟରେ ଖୋଲାସ୍ଥାନକୁ ବାହାରିବାକୁ ବାରଣ କରାଯାଇଛି । ସେହିପରି ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ଓଡ଼ିଶାର ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି । ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ରାତିରେ ଆକାଶ ମେଘୁଆ ରହିବା ସହ ବର୍ଷା ହୋଇପାରେ ।