ନ୍ୟୁଜ୍ରାଜ୍ୟ

ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ରାଜ୍ୟ

ସତ୍ୟଶିଖା( ଭୁବନେଶ୍ୱର)୧୬.୦୪.୨୦୨୨ ଆକାଶରୁ ଖସୁଛି ନିଆଁ ଝୁଲ, ବର୍ଷୁଛି ନିଆଁ । ତତଲା ତାୱାରେ କଲବଲ ହେଉଛି ସାରା ରାଜ୍ୟ । ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ପଶ୍ଚିମ ଓଡ଼ିଶା । ୪୪ ଡିଗ୍ରୀ ତାପମାତ୍ରା ସହ ବୁଧବାର ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ହୋଇଥିଲା ହେଲେ ଗୁରୁବାର ରେକର୍ଡ ୪୪.୨ ଡିଗ୍ରୀ ସହ ସୁବର୍ଣ୍ଣପୁର ପାଲିଟିଥିଲା ସବୁଠୁ ଉତ୍ତପ୍ତ । ସାରାଦେଶରେ ଓଡ଼ିଶା ହୋଇଛି ଉତ୍ତପ୍ତ ରାଜ୍ୟ । ତେଣେ ପାଣିପାଗ ବିଭାଗର ପୂର୍ବାନୁମାନ ଚିନ୍ତାବଢ଼ାଇଛି । ଅସହ୍ୟ ତାତିରେ ବ୍ରେକ୍ ଲାଗିବନି ବୋଲି ବିଭାଗ କହିଛି । ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସ୍ୱାଭାବିକ ଠାରୁ ଆହୁରି ବଢ଼ିବ ତାପମାତ୍ରା । ପଶ୍ଚିମ ଓଡ଼ିଶା ସିଝୁଥିବାବେଳେ ଆଭ୍ୟନ୍ତରୀଣରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ବିଭାଗ ଆକଳନ କରିଛି ।

ସାରା ରାଜ୍ୟରେ ଭୀଷଣ ତାତି ଜାରି ରହିଛି । ଗରମରେ ଆଉଟପାଉଟ ହେଉଛନ୍ତି ଲୋକେ । ସବୁଠି ପାରଦ ଉପରମୁହାଁ । ଉପକୂଳର ୨ରୁ ୩ଟି ଜିଲ୍ଲାକୁ ଛାଡ଼ିଦେଲେ ବାକି ସବୁ ଜିଲ୍ଲାରେ ତାପମାତ୍ରା ୪୦ଂ ପାର୍ କରିଛି । ତେବେ ଶୁକ୍ରବାର ୩ ସହରର ତାପମାତ୍ରା ୪୩ଂ ଟପିଛି । ବଲାଙ୍ଗିର, ସୋନପୁର ଓ ବାରିପଦାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି । ଏଭଳି ଆସନ୍ତା ୫ଦିନ ପର୍ଯ୍ୟନ୍ତ ଜାରି ରହିବ ।

ପାଣିପାଗ ବିଭାଗର କହିବା ଅନୁଯାୟୀ, ଶୁକ୍ରବାର ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୩.୪ଂ ରହିଥିବା ବେଳେ ସୋନପୁରରେ ୪୩.୨ଂ ଓ ବଲାଙ୍ଗିରରେ ୪୩ଂ ରହିଛି । ଏହି ତିନି ସହରରେ ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଝାଞ୍ଜି ମାଡ଼ । ରାତିତମାମ ଗରମ ପବନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି । ଆଭ୍ୟନ୍ତରୀଣ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଜିଲ୍ଲାରେ ପାରଦ ଉପରମୁହାଁ ହୋଇଛି । ତେବେ କାଳବୈଶାଖୀ ବର୍ଷା ଯୋଗୁ କିଛି ଜିଲ୍ଲାର ତାପମାତ୍ରା ସାମାନ୍ୟ କମିଥିଲେ ମଧ୍ୟ ୪୦ଂ ଉପରେ ରହିଛି । ଅନୁଗୁଳରେ ୪୨.୯ଂ, ସୁନ୍ଦରଗଡ଼ ୪୨ଂ, ବୌଦ୍ଧ ୪୨.୫ଂ, ଟିଟିଲାଗଡ଼ ୪୧.୮ଂ, ତାଳଚେର ୪୧.୬ଂ, ସମ୍ବଲପୁରରେ ୪୧.୮ଂ, ଝାରସୁଗୁଡ଼ା ୪୨.୭ଂ, ପାରଳାଖେମୁଣ୍ଡି ୪୧ଂ, ଭବାନୀପାଟଣା ୪୦.୮ଂ, ହୀରାକୁଦ ୪୦.୬ଂ, ମାଲକାନାଗିରି ୪୦ଂ, ବାଲେଶ୍ୱର ୩୯.୪ଂ, ଚାନ୍ଦବାଲି ୩୯.୩ଂ, କଟକ ଏବଂ ଫୁଲବାଣୀରେ ୩୯ଂ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଭୁବନେଶ୍ୱରରେ ମଧ୍ୟ ଶୁକ୍ରବାର ତାପମାତ୍ରା ୧ଂ ବଢ଼ିଛି । ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୮.୨ଂ ରହିଥିଲା । ତେବେ ପାରାଦୀପରେ ୩୧.୪ଂ, ପୁରୀରେ ୩୨.୩, ଗୋପାଳପୁର ୩୦.୨ ତାପମାତ୍ରା ରେକର୍ଡ ହୋଇଛି ।

ଶୁକ୍ରବାର ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାର ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷା ହୋଇଥିବା ସୂଚନା ମିଳିଛି । ନୟାଗଡ଼ରେ ୪ ମିମି ବର୍ଷା ହୋଇଥିବା ବେଳେ ରାୟଗଡ଼ାର କାଶୀପୁରରେ ୧ ମିମି, ଗଞ୍ଜାମର ଆସ୍କାରେ ୧ ମିମି ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ସ୍ଥାନେ ସ୍ଥାନେ କାଳବୈଶାଖୀ ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୨୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପାଇଁ ୧୭ଟି ଜିଲ୍ଲାକୁ ସତର୍କ କରାଯାଇଛି । ଏଥିପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

Show More
Back to top button