

ସତ୍ୟଶିଖା( ନୂଆଦିଲ୍ଲୀ )୦୩.୦୩.୨୦୨୨ : ଅଶୋଧିତ ତୈଳଦରରେ ରୁଷ୍-ୟକ୍ରେନ୍ ଯୁଦ୍ଧର ପ୍ରଭାବ ଦେଖାଯାଇଛି । ଅନ୍ତଃରାଷ୍ଟ୍ରୀୟସ୍ତରରେ ଅଶୋଧିତ ତୈଳଦର ଐତିହାସିକ ସ୍ତରକୁ ଅତିକ୍ରମ କରିଛି । ଦର ୧୧୩ ଡଲାର୍ ପ୍ରତି ବ୍ୟାରେଲ୍ ପାର୍ କରିଛି । ଏଥିସହିତ ଅନ୍ତଃରାଷ୍ଟ୍ରୀୟ ଶକ୍ତି ଏଜେନ୍ସି (ଆଇଇଏ) ବିଶ୍ୱରେ ଶକ୍ତି ସଂକଟ ଦେଖାଯିବା ନେଇ ଚେତାବନୀ ଦେଇଛି । ରୁଷ୍-ୟକ୍ରେନ୍ ଯୁଦ୍ଧ ଯୋଗୁଁ ରୁଷ୍ରୁ ତୈଳ ଯୋଗାଣ ପ୍ରଭାବିତ ହୋଇଛି । ଫଳରେ ୨୦୧୪ ପରଠାରୁ ଅଶୋଧିତ ତୈଳଦର ସର୍ବୋଚ୍ଚସ୍ତରରେ ପହଞ୍ଚିଛି । ଅପରପକ୍ଷରେ ଆଗକୁ ଏହା ୧୫୦ ଡଲାର ପ୍ରତି ବ୍ୟାରେଲ୍ ଛୁଇଁବାର ଆଶଙ୍କା ରହିଛି । ଏହି ସ୍ଥିତିରେ ଆଗାମୀ ସପ୍ତାହ ସୁଦ୍ଧା ଦେଶରେ ତୈଳଦର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଶଙ୍କା କରାଯାଉଛି ।
ଊଲ୍ଲେଖନୀୟ ଯେ ମାର୍ଚ୍ଚ ୭ରେ ଦେଶରେ ଜାରି ରହିଥିବା ବିଧାନସଭା ନିର୍ବାଚନ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବ । ଦୀର୍ଘ ୧୧୭ ଦିନ ଧରି ସ୍ଥିର ରହିଥିବା ତେଲଦରରେ ପୁଣିଥରେ ନିଆଁ ଲାଗିବାର ଆଶଙ୍କା କରାଯାଉଛି । ସରକାରୀ ତୈଳ କମ୍ପାନୀଗୁଡ଼ିକ ପ୍ରତି ଲିଟର ପେଟ୍ରୋଲ୍ରେ ୫.୭୦ ଟଙ୍କା ଓ ପ୍ରତି ଡିଜେଲ୍ ଲିଟର୍ରେ ୨.୫୦ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଛନ୍ତି । ସମ୍ପ୍ରତି ଯୁଦ୍ଧ ଜାରିରହିଛି । ଯୁଦ୍ଧ ଆଗକୁ ବଢ଼ିବା ସହିତ ଅଶୋଧିତ ତୈଳଦର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏପରିପ୍ରେକ୍ଷୀରେ ଦେଶରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବାମାତ୍ରେ ସରକାର ପେଟ୍ରୋଲ୍-ଡିଜେଲ୍ ଦରରେ ପାଖାପାଖି ୧୦ ଟଙ୍କା ଓ ୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି ।
ଏଥିସହିତ ପରିବହନ ଖର୍ଚ୍ଚ ଓ ଉତ୍ପାଦନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ନାଗରିକଙ୍କ ମାସିକିଆ ବଜେଟ୍ ପ୍ରଭାବିତ ହେବ । ଦେଶର ମୁଦ୍ରାସ୍ଫୀତି ହାର ମଧ୍ୟ ବୃଦ୍ଧି ପାଇବ । ଲୋକାଲ୍ ସର୍କିଲ୍ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଦେଶର ୪୨% ପରିବାର ତୈଳଦର ବୃଦ୍ଧିକୁ ସାମ୍ନା କରିବା ସ୍ଥିତିରେ ନାହାନ୍ତି । ଏପରିସ୍ଥିତିରେ ସେମାନେ ନିଜ ଘରୋଇ ଖର୍ଚ୍ଚରେ ହ୍ରାସ କରିବା ନେଇ ମତପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ ଯେ ଭାରତ ନିଜ ଉପଯୋଗୀ ତୈଳର ୮୦% ବିଦେଶରୁ ଆମଦାନୀ କରିଥାଏ । ବିଶେଷ କରି ଭାରତ ରୁଷ୍ରୁ ଦୈନିକ ୪୩,୪୦୦ ବ୍ୟାରେଲ୍ ତୈଳ ଆମଦାନୀ କରୁଛି । ଅପରପକ୍ଷରେ ସରକାରଙ୍କ ନିକଟରେ ଉତ୍ପାଦଶୁଳ୍କ ହ୍ରାସ କରି ଦର ଯଥାବତ୍ ରଖିବାର ବିକଳ୍ପ ରହିଛି । ସେ ସ୍ଥିତିରେ ସରକାର ରାଜସ୍ୱରେ ପାଖାପାଖି ୯୨ ହଜାର କୋଟି ଟଙ୍କାର କ୍ଷତି ଘଟିପାରେ । ମୋଦୀ ସରକାର ୧୩ଥର ଉତ୍ପାଦ ଶୁଳ୍କରେ ବୃଦ୍ଧି କରିବା ସହିତ ମାତ୍ର ୪ଥର ହ୍ରାସ କରିଛନ୍ତି । ଅତଏବ୍ ନିର୍ବାଚନ ପରେ ଦେଶରେ ତେଲଦରରେ ନିଆଁ ଲାଗିବାର ଭରପୁର ସମ୍ଭାବନା ରହିଛି ।
ଭଣ୍ଡାରରୁ ୩୦ ନିୟୁତ ବ୍ୟାରେଲ୍ ତୈଳ ରିଲିଜ୍ କରିବ ଆମେରିକା
ବୈଶ୍ୱିକସ୍ତରରେ ଅଶୋଧିତ ତୈଳଦରର ଲମ୍ବାଡିଆଁ ପରିପ୍ରେକ୍ଷୀରେ ଆମେରିକା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବ ବୋଲି ଘୋଷଣା କରିଛି । ଆମେରିକା ୩୦ଟି ଅନ୍ୟଦେଶ ସହିତ ଏ ନେଇ ବାର୍ତ୍ତାଳାପ ଜାରିରଖିଛି । ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ବୈଶ୍ୱିକସ୍ତରରେ ବୃଦ୍ଧି ପାଉଥିବା ତୈଳଦରକୁ ସ୍ଥିର ରଖିବା ପାଇଁ ଆମେରିକା ନିଜ ତୈଳଭଣ୍ଡାରରୁ ୩୦ ନିୟୁତ ବ୍ୟାରେଲ୍ ତୈଳ ରିଲିଜ୍ କରିବା ନେଇ ଘୋଷଣା କରିଛି । ଅପରପକ୍ଷରେ ରୁଷ୍ର ଅର୍ଥନୀତି ଉପରେ କଡ଼ାପ୍ରହାର କରିବା ନେଇ ଗଭୀର ବିଚାରବିମର୍ଶ ଜାରିରହିଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି । ଏଥିସହିତ ଅନ୍ୟଦେଶଗୁଡ଼ିକୁ ମଧ୍ୟ ସେ ନିଜ ନିଜ ଭଣ୍ଡାରରୁ ୩୦ ନିୟୁତ ତୈଳ ରିଲିଜ୍ କରିବାକୁ ଆହ୍ୱାନ ଦେଇଛନ୍ତି ।