ମନୋରଞ୍ଜନସିନେମା

ଦକ୍ଷିଣ ଦିଲ୍ଲୀରେ ଥିବା ପୈତୃକ ଘର ‘ସୋପାନ’କୁ ୨୩ କୋଟି ଟଙ୍କାରେ ବିକିଲେ ଅମିତାଭ ବଚ୍ଚନ

ସତ୍ୟଶିଖା(ନୂଆଦିଲ୍ଲୀ  ) ୦୩.୦୨.୨୦୨୨ :  ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ଗୁଲ୍‌ମୋହର୍‌ ପାର୍କରେ ଥିବା ପୈତୃକ ଘର ‘ସୋପାନ’କୁ ନିକଟ ଅତୀତରେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ୨୩ କୋଟି ଟଙ୍କାରେ ବିକ୍ରୟ କରିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଅମିତାଭଙ୍କ ପରିବାରର ବାସଭବନ ସୋପାନକୁ ‘ନେଜୋନ୍‌ ଗ୍ରୁପ୍‌ ଅଫ୍‌ କମ୍ପାନି’ର ‘ସିଇଓ’ ଅବନୀ ବଦେର୍‌ ଖରିଦ କରିଛନ୍ତି। ବହୁ ବର୍ଷ ଧରି ବଚ୍ଚନଙ୍କ ପରିବାର ସହ ତାଙ୍କର ପରିଚୟ ଅଛି। ଏ ସଂକ୍ରାନ୍ତରେ ଅବନୀ ବଦେର୍‌ ଗଣମାଧ୍ୟମକୁ କହିଛନ୍ତି, ଏଇଟା ପୁରୁଣା କାଳରେ ତିଆରି। ତେଣୁ, ଏହି ଘରକୁ ଭାଙ୍ଗି ଆମ ଆବଶ୍ୟକତା ଅନୁସାରେ ତିଆରି କରିବୁ। ଅନେକ ବର୍ଷ ହେଲା ଆମେ ଏ ଅଞ୍ଚଳରେ ବସବାସ କରୁଛୁ। ଆଉ କିଛି ଜାଗା ଖୋଜୁଥିଲୁ। ଏଭଳି ଅଫର୍‌ ମିଳିବାରୁ ଆମେ ତୁରନ୍ତ ହିଁ କହି, ସମ୍ପତ୍ତି ଦଖଲ କରିନେଲୁ।

ସୂଚନାଯୋଗ୍ୟ, ଅମିତାଭଙ୍କ ପିତା ତଥା ସ୍ବନାମଧନ୍ୟ କବି ହରିବଂଶ ରାୟ ବଚ୍ଚନ ଏବଂ ମାତା ତେଜି ବଚ୍ଚନ ‘ସୋପାନ’ରେ ରହୁଥିଲେ। ଏଠାରେ ରହୁଥିବା ବେଳେ ହରିବଂଶ ରାୟ ବଚ୍ଚନ ଅନେକ କବିତା ପାଠ ଆସର ଆୟୋଜନ କରୁଥିଲେ। ଦୁଇ ତାଲାବିଶିଷ୍ଟ ‘ସୋପାନ’ ତେଜି ବଚ୍ଚନଙ୍କ ନାମରେ ରେଜିଷ୍ଟ୍ରି ହୋଇଥିଲା।

ଡିସେମ୍ବର ୭ ତାରିଖ ଦିନ ୪୧୮,୦୫ ବର୍ଗମିଟର୍‌ବିଶିଷ୍ଟ ଏହି ଜମିର ରେଜିଷ୍ଟ୍ରି କାର୍ଯ୍ୟ ସମ୍ପନ୍ନ ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ ଅମିତାଭ ବଚ୍ଚନ କ‌ୌଣସି ପ୍ରତିକ୍ରିୟା ବ୍ୟକ୍ତ କରି ନାହାନ୍ତି।

Show More
Back to top button