

ସତ୍ୟଶିଖା(ଫୁଲବାଣୀ ) ୧୨.୦୧.୨୦୨୨ : ୨୦୧୮ ମସିହାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଆଜି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ଏଥିସହ ଦୋଷୀକୁ ଏକ ଲକ୍ଷ ଟଙ୍କାର ଅର୍ଥଦଣ୍ଡ କରିଛନ୍ତି ଅଦାଲତ । ଜୋରିମାନା ଅନାଦେୟ ଦୋଷୀକୁ ଆଉ ଏକ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଖଜୁରୀପଡା ଥାନା ଅଞ୍ଚଳର ପ୍ରକାଶ ଚନ୍ଦ୍ର କହଁର । ସୂଚନା ଅନୁଯାୟୀ, ଗତ ୨୦୧୮ ମସିହା ଜୁଲାଇ ୧୭ ତାରିଖରେ ଖଜୁୁରୀପଡା ଥାନା ଅଞ୍ଚଳର ଜଣେ ବୃଦ୍ଧା ତାଙ୍କର ଦୁଇ ନାତୁଣୀଙ୍କୁ ଧରି ଘର ବାରଣ୍ଡାରେ ଶୋଇଥିଲେ ।
ନିଦ ଭାଙ୍ଗିବା ପରେ ସେ ୫ ବର୍ଷର ନାତୁଣୀ ପାଖରେ ନଥିବା ଦେଖିବାକୁ ପାଇଥିଲେ । ଖୋଜାଖୋଜି କରିବା ପରେ ତାକୁ ପାଇଖାନା ପାଖରେ ପାଇଥିଲେ । ପରିବାର ଲୋକେ ପଚାରିବାରେ ଅଭିଯୁକ୍ତ ପ୍ରକାଶ ତାକୁ ଟେକି ନେଇ ବଳାତ୍କାର କରିଥିବା ନାବାଳିକା ଜଣକ ପ୍ରକାଶ କରିଥିଲା । ଏନେଇ ୧୯.୭.୨୦୧୮ରେ ପୀଡ଼ିତାଙ୍କ ଜେଜେବାପା ଖଜୁରୀପଡା ଥାନାରେ ଏତାଲା ଦେଇଥିଲେ । ପୁଲିସ କେସ ନଂ ୫୮ା୨୧ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଆଜି ଏହି ମାମଲାର ବିଚାର କରି ପୋକ୍ସୋ ଅଦାଲତର ବିଚାରପତି ଭାଷ୍କର ଚନ୍ଦ୍ର ସାହୁ ଉପରୋକ୍ତ ରାୟ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ ।