

ସତ୍ୟଶିଖା(ଭୁବନେଶ୍ୱର) ୧୦.୧୨.୨୦୨୧: ରାଜଧାନୀ ଭୁବନେଶ୍ୱରରେ ପୁଣି କାୟା ମେଲାଇବାରେ ଲାଗିଛି ଭୂତାଣୁ । ଗତ ୨ ଦିନ ହେବ ରାଜଧାନୀରେ ଦୈନିକ ସଂକ୍ରମଣ ଶହେ ତଥା ତା’ର ନିକଟତର ରହିଛି । ନିକଟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କରୋନାର ନୂଆ ଭୂତାଣୁ ଓମିକ୍ରମ ଡ଼ରରେ ସହରରେ ଟେଷ୍ଟିଂ ବଢ଼ାଇଛି । ଯାହାଫଳରେ ଦୈନିକ ସଂକ୍ରମଣ ବଢ଼ିଥିବା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଏଥିରେ ଭୟଭୀତ ହେବାର ନାହିଁ, ଏଯାବତ୍ କୌଣସି ଚିହ୍ନଟ ଆକ୍ରାନ୍ତ ଓମିକ୍ରନ ଚିହ୍ନଟ ହୋଇନାହାଁନ୍ତି । ଅବଶ୍ୟ କିଛି ଶିକ୍ଷାନୁଷ୍ଠାନରୁ ନିକଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, କିନ୍ତୁ ଏବେଠାରୁ ସତର୍କତା ଅବଲମ୍ବନ କଲେ ସଂକ୍ରମଣ ପ୍ରତିହତ ହୋଇପାରିବ ବୋଲି ବିଏମ୍ସି ଜନସାଧାରଣଙ୍କୁ ଅପିଲ କରିଛି ।
ସୂଚନା ଅନୁଯାୟୀ ବିଏମ୍ସି ସହରର ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ସମେତ ସମ୍ବେଦନଶୀଳ ସ୍ଥାନରେ ଟେଷ୍ଟିଂ ବଢ଼ାଇଛି । ଏଯାବତ୍ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ବିଦେଶ ଫେରନ୍ତା ଭୁବନେଶ୍ୱରକୁ ଫେରିଥିବାବେଳେ ସେମାନଙ୍କ ଉପରେ ନଜର ରଖାଯାଉଛି । ସହରରେ ଏଥିପାଇଁ ଆର୍ଆର୍ଟି ଟିମ୍ ନିୟୋଜିତ କରାଯାଇଛି । ଜୋନ୍ସ୍ତରରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନକ୍ସା ପ୍ରସ୍ତୁତ କରାଯାଇଥିବାବେଳେ ସହରରେ ଟିକାକରଣ ମଧ୍ୟ ବ୍ୟାପକ କରାଯାଉଛି ।
ଏଯାବତ୍ ୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ଲୋକଙ୍କୁ ମିଳିସାରିଥିବାବେଳେ ଆଗକୁ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଏମ୍ସି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ସହରରେ ମୋଟ ଟିକାକରଣ ୨୭,୦୪,୯୦୬ ଡୋଜର ଟିକା ନେଇଥିବାବେଳେ ୧୪,୧୫,୯୩୮ ଡୋଜ୍ର ପ୍ରଥମ ଡୋଜ୍ ଓ ୧୨,୮୮,୯୬୮ ଡୋଜ୍ର ଦ୍ୱିତୀୟ ଡୋଜ୍ର ଟିକା ଦିଆଯାଇଛି ।