

ସତ୍ୟଶିଖା(ଭୁବନେଶ୍ୱର) ୦୨.୧୨.୨୦୨୧: ଓମିକ୍ରନ୍କୁ ଚେକ୍ ଦେବାକୁ ଏବେଠୁ ଅଣ୍ଟା ଭିଡିଲେଣି ରାଜ୍ୟ ସରକାର। ଓମିକ୍ରନ୍ ରିସ୍କ ଦେଶରୁ ଫେରିଥିବା ଲୋକଙ୍କ ପାଇଁ କଡ଼ାକଡ଼ି ହେଉଛି ଚେକିଂ। ଏପରିକି ପଜିଟିଭ ହେଲେ ରାଜ୍ୟରେ ପଶିବାକୁ ମନା କରାଯାଇଛି। ଓମିକ୍ରନ୍କୁ ମାଡ଼ ଦେବାକୁ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଲେଣି ରାଜ୍ୟ ସରକାର।
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଓମିକ୍ରନ୍ ରିସ୍କ ଦେଶରୁ ଏଯାଏ ୩୮୦ ଜଣ ଓଡ଼ିଶା ଫେରିଛନ୍ତି । ଗତ ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ ତାରିଖରେ ରାଜ୍ୟରେ ପ୍ରବେଶ କରିଛନ୍ତି ୧୫୬ ଜଣ । ଏବେ ସୁଦ୍ଧା ଦୁଇ ଦିନର ଡାଟା ସରକାରଙ୍କ ପାଖରେ ପହଞ୍ଚିଛି । ଯେଉଁମାନେ ଏବେ ବିଦେଶରୁ ଫେରୁଛନ୍ତି ସମସ୍ତଙ୍କ ତାଲିକା ଜିଲ୍ଲା ପ୍ରଶାସନକୁ ଦିଆଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ଏଥର କିନ୍ତୁ କରୋନାକୁ ଚେକ୍ ଦେବାକୁ ଆରମ୍ଭରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ବିଦେଶରୁ ଆସୁଥିବା ବ୍ୟକ୍ତି ନେଗେଟିଭ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ । ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କର ପୁଣି ଥରେ RT-PCR ଟେଷ୍ଟ କରାଯିବ । କୋଭିଡ୍ ଟେଷ୍ଟ ପରେ ରିପୋର୍ଟ ନେଗେଟିଭ ଥିଲେ ହିଁ ସମସ୍ତଙ୍କୁ ରାଜ୍ୟରେ ପ୍ରବେଶ ଅନୁମତି ମିଳୁଛି। ରିପୋର୍ଟ ପଜିଟିଭି ଥିଲେ ସେମାନଙ୍କୁ ତତ୍କ୍ଷଣାତ କ୍ୱାରେଣ୍ଟାଇନ୍ରେ ରଖାଯାଉଛି। ସଂପୃକ୍ତ ଯାତ୍ରୀ କେଉଁଠୁ ଆସିଲେ ଓ କୁଆଡ଼େ ଯିବେ ଓ କେଉଁଠି ରହିବେ ସେ ନେଇ ସେଲ୍ଫ ଡିକ୍ଲାରେସନ୍ ଦେବେ । ଏହା ଦ୍ୱାରା ସେମାନଙ୍କୁ ଖୋଜି ପୁଣି ପରୀକ୍ଷା କରାଯାଇପାରିବ ।
ରିପୋର୍ଟ ନେଗେଟିଭ୍ ଥିଲେ ବି ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଉଛି। ସେଥି ମଧ୍ୟରୁ ପ୍ରଥମ ୭ ଦିନ କ୍ୱାରେଣ୍ଟାଇନ୍ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ଅଷ୍ଟମ ଦିନ ସେମାନଙ୍କର ପୁଣି କୋଭିଡ୍ ଟେଷ୍ଟ କରାଯିବ । ଯଦି ପଜିଟିଭ୍ ଆସେ ସେହି ଅନୁଯାୟୀ ଚିକିତ୍ସା କରାଯିବ । ଯଦି ନେଗେଟିଭ୍ ଆସେ ସେମାନଙ୍କୁ ପୁଣି ୭ ଦିନ ସେଲ୍ଫ ଆଇସୋଲେସନ୍ରେ ରହିବାକୁ କୁହାଯିବ । ଯାହାର ପଜିଟିଭ୍ ଆସିବ ତାଙ୍କ ନମୁନାର ଜିନମ ସିକୁଏନ୍ସିଂ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ଓମିକ୍ରନ ପ୍ରଥମେ ୧୨ ଦେଶକୁ ବ୍ୟାପିଥିବା ବେଳେ ଗତକାଲି ଏହି ସଂଖ୍ୟା ୧୫ରେ ପହଞ୍ଚିଥିଲା। ହେଲେ ଆଜି ସୁଦ୍ଧା ଏହା ୨୬ଟି ଦେଶକୁ ବ୍ୟାପିଥିବା WHO ପକ୍ଷରୁ କୁହାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେଉଁମାନେ ଏହି ଦେଶରୁ ଆସୁଛନ୍ତି ନେଗେଟିଭ ସାର୍ଟିଫିକେଟ ଧରି ଆସିବେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ଏଥିସହ କହିଛନ୍ତି, ଯେଉଁମାନେ ବିଦେଶରୁ ଫେରୁଛନ୍ତି, ସେମାନଙ୍କ ଘରେ ସଙ୍ଗରୋଧ ସୁବିଧା ନ ଥିଲେ, ଏହି ଦାୟିତ୍ୱ ଜିଲ୍ଲା ପ୍ରଶାସନ ମୁଣ୍ଡାଇବ । ଏହାବାଦ ପଜିଟିଭି ବାହାରିଲେ କିଛି ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ। ସେମାନେ ଯେପରି ଅନ୍ୟ ପଜିଟିଭ ରୋଗୀଙ୍କଠାରୁ ଅଲଗା ହୋଇ ଚିକିତ୍ସା ହୁଅନ୍ତି ତାହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।