

ସତ୍ୟଶିଖା ( ସୁବର୍ଣ୍ଣପୁର ) ୨୪ /୧୧ /୨୦୨୧: କାଳ ହେଲା ମୋବାଇଲରେ ଗେମ ଖେଳିବା । ମୋବାଇଲରେ ଗେମ ଖେଳୁଥିବା ସମୟରେ ଟ୍ରେନ ଧକ୍କାରେ ତିନି ସାଙ୍ଗଙ୍କ ହୋଇଛି ଅଭାବନୀୟ ମୃତ୍ୟୁ । ଏହି ତିନି ଯୁବକ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁର ବୋଲି ଜଣାପଡିଛି ।
ତିନି ସାଙ୍ଗ ସାନ ନୂଆପାଲି ରେଲୱେ କ୍ରସିଂ ନିକଟରେ ହେଡ଼ ଫୋନ ଲଗାଇ ରେଲୱେ ଟ୍ରାକ ଉପରେ Free Fire ଗେମ ଖେଳୁଥିଲେ । ତେବେ ହଠାତ ତିନି ସାଙ୍ଗଙ୍କୁ ପଛ ପଟରୁ ଟ୍ରେନ ଧକ୍କା ଦେଇଥିଲା । ହେଡ଼ ଫୋନ ବ୍ୟବହାର କରିଥିବାରୁ ଯୁବକମାନେ ଟ୍ରେନ ଆସିବା ଜାଣି ପାରି ନଥିଲେ। ଫଳରେ ମାଲ ଗାଡି ଟ୍ରେନରେ କଟି ଘଟଣାସ୍ଥଳରେ ତିନି ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଲୋକଙ୍କ ପାଖରୁ ସୂଚନା ମିଳିଛି ।
ମୃତ ଯୁବକମାନେ ଗଗନ ସେଠ, ଆଦିତ୍ୟ ବିଶ୍ବାଳ ଓ ସାନ ସେଠ ବୋଲି ଜଣାପଡିଛି । ଏପଟେ ପୋଲିସ ଭୟରେ ପରିବାର ଲୋକେ ତରବରିଆ ଭାବେ ଏମାନଙ୍କ ମୃତଦେହକୁ ବିଳମ୍ବିତ ରାତିରେ ପୋଡି ଦେଇଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ପୋଲିସ ପାଖରେ କୌଣସି ସୂଚନା ନ ଥିବା ବେଳେ ବଲାଙ୍ଗୀର ଜିଆରପି ପୋଲିସ ପାଖରେ ବି କୌଣସି ଖବର ନ ଥିବା ସୂଚନା ମିଳିଛି ।