

ସତ୍ୟଶିଖା(ଭୁବନେଶ୍ୱର) ୧୩.୧୧.୨୦୨୧: ଉତ୍ତର ତାମିଲନାଡୁ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଛି । ମାତ୍ର ଆଗକୁ ବିପଦ ଆଶଙ୍କା ଦେଖାଦେଲାଣି । ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଯଦି ଠିକ୍ ହୁଏ ତେବେ ପଞ୍ଚୁକ ବେଳକୁ ବାତ୍ୟା ଆସିପାରେ । ଏହା ଉତ୍ତର ତାମିଲନାଡୁ ଏବଂ ଓଡିଶା ଭିତରେ ମାଡ ହେବା ନେଇ ପ୍ରାକ୍ ଆକଳନ ମଧ୍ୟ କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏଭଳି ଆଶଙ୍କାକୁ ଏଡାଇ ପାରୁନି ।
ସାମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ପାଇଁ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେ ଧୀରେ ଏହା ଦକ୍ଷିଣ ଆଣ୍ଡାମାନ ସାଗର ଆଡକୁ ମୁହାଁଉଛି । ଶନିବାର ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିି ହେବ । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଆଗେଇବ । ପରେ ୪୮ ଘଣ୍ଟା ଭିତରେ ବା ୧୫ ତାରିଖ ବେଳକୁ ଏହା ପୂର୍ବକେନ୍ଦ୍ରୀୟ ଓ ଦକ୍ଷିଣ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତ ରୂପ ନେବ ।