ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ବିଜୁ ସ୍ମାର୍ଟକାର୍ଡ ଅଚଳ ମାମଲା : ରୋଗୀ ଟଙ୍କା ଫେରସ୍ତ ପାଇଁ ହସ୍‌ପିଟାଲ୍‌କୁ ନିର୍ଦ୍ଦେଶ

ସତ୍ୟଶିଖା(କଟକ) ୧୦.୧୧ .୨୦୨୧: ବିଜୁ ସ୍ମାର୍ଟକାର୍ଡ ଅଚଳ ମାମଲାରେ ହାଇକୋର୍ଟ ରୋଗୀଙ୍କୁ ସମସ୍ତ ଟଙ୍କା ଫେରସ୍ତ କରିବାକୁ ଅଶ୍ୱିନୀ ହସ୍‌ପିଟାଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ମଳୟ କୁମାର ଚାଟାର୍ଜୀଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଓ ବିଚାରପତି ଏକେ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତି । ଆବେଦନକାରୀ ଶ୍ରୀ ଚାଟାର୍ଜୀ ଚିକିତ୍ସା ପାଇଁ ଅଶ୍ୱିନୀ ହସ୍‌ପିଟାଲ୍‌କୁ ଆସିଥିଲେ । ତାଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସ୍‌କେୱାଇ) କାର୍ଡ ଥିଲେ ମଧ୍ୟ ହସ୍‌ପିଟାଲ୍ କର୍ତ୍ତୃପକ୍ଷ ଏହି କାର୍ଡ ଚାଲୁ ହୋଇନାହିିଁ ବୋଲି ଦର୍ଶାଇ ତାଙ୍କୁ ଡାକ୍ତରଖାନାରେ ଟଙ୍କା ଜମା କରିବାକୁ ଆଦେଶ ଦେଇଥିଲେ । ଫଳରେ ଶ୍ରୀ ଚାଟାର୍ଜୀଙ୍କ ପକ୍ଷରୁ ପ୍ରଥମେ ୩୦ ହଜାର ଓ ପରେ ୪୦ ହଜାର ଟଙ୍କା ହସ୍‌ପିଟାଲ୍‌ରେ ଡିପୋଜିଟ୍ କରାଯାଇଥିଲା ।

ଏହା ପରେ ଆବେଦନକାରୀଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁଥିବା ଦର୍ଶାଇ ହସ୍‌ପିଟାଲ୍ କର୍ତ୍ତୃପକ୍ଷ ତାଙ୍କଠାରୁ ବେଆଇନ ଭାବେ ଟଙ୍କା ନେଇଛନ୍ତି ବୋଲି ରୁଜୁ ମାମଲାରେ ଦର୍ଶାଇଥିଲେ । ଏହି ମାମଲାରେ କୁହାଯାଇଥିଲା ଯେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚିକିତ୍ସା ନିମନ୍ତେ ୫ଲକ୍ଷ ଟଙ୍କା ପ୍ରଦାନ କରୁଥିବାବେଳେ ଉକ୍ତ ନିର୍ଦ୍ଦେଶନାମାକୁ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ମାନୁନାହାଁନ୍ତି । ହାଇକୋର୍ଟ ଏହାର ଶୁଣାଣି କରି ହସ୍‌ପିଟାଲ୍ କର୍ତ୍ତୃପକ୍ଷଙ୍କୁ ପ୍ରଥମେ ୩୦ହଜାର ଓ ଆଉ ୭ଦିନ ମଧ୍ୟରେ ବାକି ଟଙ୍କା ଫେରସ୍ତ କରିବାକୁ ଆଦେଶ ଦେଇଛନ୍ତି । ଏଥିସହିତ ମାମଲାର ଆବେଦନକାରୀ ତଥା ପୀଡ଼ିତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରଖିବାକୁ ହାଇକୋର୍ଟ ହସ୍‌ପିଟାଲ୍‌କୁ ଆଦେଶ ଦେଇଛନ୍ତି । ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ସହସ୍ରାଂଶୁ ସୌରଭ ଓ ଗୌରବ ମହାନ୍ତି ପରିଚାଳନା କରୁଥିଲେ ।

Show More
Back to top button