ରାଜ୍ୟଶିକ୍ଷା

୧୦ହଜାର ଅଧ୍ୟାପକ,ଅଧ୍ୟାପିକାଙ୍କୁ ମିଳିବ ଆଡଭାନ୍ସ ପ୍ରଶିକ୍ଷଣ : ଉଚ୍ଚଶିକ୍ଷା ମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର )୧୩.୧୦ .୨୦୨୧: ରାଜ୍ୟରେ ଉଚ୍ଚଶିକ୍ଷାରେ ସୁଧାର ଆଣିବା ସହ ଗୁଣାତ୍ମକ ଶିକ୍ଷା ଏବଂ କ୍ଷଣିକ ମଧ୍ୟରେ କ୍ୟାମ୍ପସରେ ପିଲାଙ୍କ ସମସ୍ୟାର ସମାଧାନ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟସ୍ । ତେବେ ଏଥିରେ ଶିକ୍ଷାଦାନ କ୍ଷେତ୍ରରେ ଅଧ୍ୟାପକଙ୍କ ଦକ୍ଷତା ଏବଂ ଶିକ୍ଷାଦାନ ଶୈଳୀ କିପରି ରହିଛି ତାହାର ଅନୁଧ୍ୟାନ କରାଯିବ । ଏନେଇ ଜାନୁଆରୀରୁ ରାଜ୍ୟରେ ଥିବା ସବୁ ଡିଗ୍ରୀ କଲେଜରେ ଶିକ୍ଷାଦାନ କରୁଥିବା ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଦକ୍ଷତା ଯାଞ୍ଚ କରାଯିବ ।

ପୂର୍ବରୁ ଅଧ୍ୟାପକ, ଅଧ୍ୟାପିକାଙ୍କ ଲାଗି ୭ଘଣ୍ଟା ବାଧ୍ୟତାମୂଳକ ଏବଂ ସେମାନଙ୍କ ଲାଗି ବାୟୋମେଟ୍ରିକ ବ୍ୟବସ୍ଥା ହୋଇଥିବା ବେଳେ ପୁଣି ଲାଗୁ ହେବାକୁ ଥିବା ଏପରି ବ୍ୟବସ୍ଥାକୁ ମଧ୍ୟ ସବୁ ସ୍ତରରେ ସ୍ୱାଗତ କରାଯାଇଛି । ଏହି ଦକ୍ଷତା ଯାଞ୍ଚରେ ଯେଉଁମାନଙ୍କର ଶିକ୍ଷାଦାନ ବ୍ୟବସ୍ଥାରେ ଦୁବର୍ଳ ଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । କରୋନା ଲାଗି ବ୍ୟବସ୍ଥାରେ କିଛି ଛାଡ କରାଯାଇଥିବା ବେଳେ ବର୍ତ୍ତମାନ ପୂର୍ବ ପରି ନୀୟମ ଲାଗୁ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ସୂଚନା ଅନୁଯାୟୀ, ରାଜ୍ୟର ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜରୁ ୧୦ ହଜାର ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଦୃଢ଼ ପାରଙ୍ଗମ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଉଚ୍ଚଶିକ୍ଷା କ୍ଷେତ୍ରରେ  କୌଣସି କମ୍ପରମାଇଜ୍ କରାଯିବ ନାହିଁ । କିମ୍ବା  ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଦୁର୍ବଳ ଶିକ୍ଷାଦାନ ବ୍ୟବସ୍ଥାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ । ରାଜ୍ୟରେ ସବୁ ବର୍ଗର ଛାତ୍ରଛାତ୍ରୀ ଯେପରି ଠିକ୍ ଉଚ୍ଚଶିକ୍ଷା ପାଇବେ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଡ. ସାହୁ ସୂଚନା ଦେଇଛନ୍ତି । ଏଣିକି ଅଧ୍ୟାପକ, ଅଧ୍ୟାପିକାଙ୍କ ପଢ଼ାଇବା ଶୈଳୀ ଉପରେ ରହିବ  ନଜର । ଏନେଇ ଆସନ୍ତା ଜାନୁଆରୀରୁ କଟକଣା କଡ଼ାକଡ଼ି ହେବ । ନୀୟମ ଅନୁଯାୟୀ ଦୈନିକ କେଉଁ ଅଧ୍ୟାପକ/ଅଧ୍ୟାପିକା କେତେ ସମୟ କ୍ଲାସ ନେଉଛନ୍ତି ତା’ର ସଂପୂର୍ଣ୍ଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ।  ଛାତ୍ରଛାତ୍ରୀ ଯେପରି ଶ୍ରେଣୀ ପାଠପଢ଼ା ପ୍ରତି ଆକୃଷ୍ଟ ହେବେ ଏବଂ ଘରୋଇ ଟିଉସନ ମୋହରୁ ଦୁରେଇବେ ସେଥିଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯିବ ।

ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ ୧୦ବର୍ଷର ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଡିଗ୍ରୀ କଲେଜରେ ଶିକ୍ଷାଦାନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଘଟିନଥିଲା । ଏପରିକି ଅଧ୍ୟାପକ, ଅଧ୍ୟାପିକାଙ୍କ ଉପରେ ମଧ୍ୟ କାହାରି ନିୟନ୍ତ୍ରଣ ନଥିଲା । ତେବେ ରାଜ୍ୟରେ ପ୍ରଥମଥର ଲାଗି ଡିଗ୍ରୀ କଲେଜରେ ବାୟୋମେଟ୍ରିକ ବ୍ୟବସ୍ଥା ସାଙ୍ଗକୁ ଅଧ୍ୟାପକଙ୍କ ଲାଗି ଶିକ୍ଷାଦାନ ଏବଂ କଲେଜରେ ରହିବା କେତେ ସମୟ ରହିବା ବାଧ୍ୟତାମୂଳକ ତା’ ଉପରେ କଟକଣା ଲାଗୁ ହୋଇଛି । ଫଳରେ ପ୍ରଥମଥର ଲାଗି ଡିଗ୍ରୀକଲେଜଗୁଡିକରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି ।  ଅଧ୍ୟାପକ/ଅଧ୍ୟପିକା ଦୈନିକ କେତୋଟି କ୍ଲାସ ଓ କେତେ ସମୟ ପଢ଼ାଉଛନ୍ତି ତା’ର ରିପୋର୍ଟ କଲେଜରେ ଅଧ୍ୟକ୍ଷଙ୍କ ପାଖରେ ରହିବ ।

ସେହିପରି ସେମାନଙ୍କର ଦକ୍ଷତା ଏବଂ ପଢ଼ାଇବା ଶୈଳୀ ଯାଞ୍ଚ ଲାଗି ଜିଲ୍ଲାସ୍ତରରେ ଏକ ଅନୁଧ୍ୟାନ କମିଟି ରହିବ । ସେମାନେ ଅଚାନକ ବିଭିନ୍ନ କଲେଜ ଗ୍ରସ୍ତ କରି କ୍ଲାସ ଚାଲୁଥିବା ସମୟରେ ସମ୍ପୃକ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ପଢ଼ାଇବାର ଶୈଳୀ ଯାଞ୍ଚ କରିବେ । ଯାଞ୍ଚ ରିପୋର୍ଟ ବିଭାଗକୁ ଦେବା ପରେ ଦୁର୍ବଳ ଦକ୍ଷତା ଥିବା ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ରାଜ୍ୟରେ ପର୍ଯ୍ୟାୟକ୍ରମେ ଅଧ୍ୟାପକ, ଅଧ୍ୟାପିକାଙ୍କୁ ରିଫ୍ରେସର କୋର୍ସ ମାଧ୍ୟମରେ ସେମାନଙ୍କର ଟିଚିଂ ଦକ୍ଷତାକୁ ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି ।

Show More
Back to top button