

ସତ୍ୟଶିଖା(ନୂଆଦିଲ୍ଲୀ ) ୧୭.୦୯ .୨୦୨୧: ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଖୁବଶୀଘ୍ର ଆଶ୍ୱସ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେଲା ଉପର ମୁହାଁ ଥିବା ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦରକୁ ହ୍ରାସ କରିବା ପାଇଁ ସରକାରୀ ସ୍ତରରେ ବିଚାରବିମର୍ଶ ଆରମ୍ଭ ହୋଇଛି।
ଆସନ୍ତାକାଲି ଉତ୍ତର ପ୍ରଦେଶର ଲକ୍ଷ୍ନୌ ଠାରେ ୪୫ତମ ଜିଏସ୍ଟି ପ୍ୟାନେଲର ବୈଠକ ବସିବ। ଏହି ସମୟରେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟିରେ ସାମିଲ କରିବାକୁ ଆଲୋଚନା ହେବ। ଯଦି ସର୍ବସମ୍ମତିକ୍ରମେ ପେଟ୍ରୋଲ ଓ ଡିଜେଲ ଜିଏସ୍ଟି ସ୍ଲାବ ମଧ୍ୟରେ ଆସିବ, ତା’ହେଲେ ଦେଶବାସୀ ମହଙ୍ଗା ମାଡ଼ରୁ ଆଶ୍ୱସ୍ତ ଲାଭ କରିବେ।
ଜିଏସ୍ଟି ଲାଗୁ ହେବା ପରେ ସାରା ଦେଶରେ ପେଟ୍ରୋଲର ଲିଟର ପିଛା ଦର ୭୫ ଟଙ୍କା ଓ ଡିଜେଲ ଦର ୬୮ ଟଙ୍କାକୁ ଖସି ଆସିବ। ଏବେ ଅଧିକାଂଶ ସହରରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ଉପରେ ରହିଛି। ସେହିପରି ଡିଜେଲ ଦର ମଧ୍ୟ ୧୦୦ ଛୁଇଁବ ଛୁଇଁବ ହେଉଛି। ପେଟ୍ରୋଲ ଓ ଡିଜେଲ ଦର କମିଲେ ସ୍ୱଂୟକ୍ରୟା ପ୍ରକ୍ରିୟାରେ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକର ଦର ମଧ୍ୟ ହ୍ରାସ ପାଇବ।
ପେଟ୍ରୋଲିୟମ ଜାତୀୟ ଦ୍ରବ୍ୟକୁ ଜିଏସ୍ଟି ପରିସର ଭୁକ୍ତ କରିବାକୁ ଜୁନ ମାସରେ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଏସ୍ଟି ମନ୍ତ୍ରୀ ସମୂହ ଗୋଟିଏ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଯଦି ଆସନ୍ତାକାଲି ଜିଏସ୍ଟି ବୈଠକରେ ଏହି ପ୍ରସ୍ତାବକୁ ଏକ ତୃତୀୟାଂଶ ସଦସ୍ୟଙ୍କ ଅନୁମୋଦନ ମିଳିବ, ତା’ହେଲେ ପେଟ୍ରୋଲିୟମ ଜାତୀୟ ଦ୍ରବ୍ୟ ଜିଏସ୍ଟି ପରିସର ଭୁକ୍ତ ହୋଇଯିବ।
ଗୋଟିଏ ଲିଟର ପେଟ୍ରୋଲର ମୂଳ ଦର ବର୍ତ୍ତମାନ ୪୦.୮୮ ଟଙ୍କା ରହିଛି। ଏହା ଉପରେ ସୀମା ଶୁଳ୍କ ୩୨.୯୦ ଟଙ୍କା, ଡିଲର କମିଶନ ୩.୮୪ ଟଙ୍କା ଓ ଭ୍ୟାଟ ୨୩.୩୯ ଟଙ୍କା ଲାଗୁଛି। ସେହିପରି ଅନ୍ୟାନ୍ୟ ଟିକସ ବାବଦରେ ୦.୩୦ ଟଙ୍କା ଲାଗୁ କରାଯାଉଛି। ଫଳରେ ପେଟ୍ରୋଲର ଲିଟର ପିଛା ଦାମ ୧୦୧.୩୪ ଟଙ୍କା ହୋଇଛି। ଏହା ରାଜଧାନୀ ଦିଲ୍ଲୀର ପେଟ୍ରୋଲ ଦର।
ସେହିପରି ଡିଜେଲ କଥା ବିଚାରକୁ ନେଲେ ଏହାର ମୂଳ ଦର ବର୍ତ୍ତମାନ ୪୧.୦୮ ଟଙ୍କା ରହିଛି। ଏହା ଉପରେ ସୀମା ଶୁଳ୍କ ୩୧.୮୦ ଟଙ୍କା, ଡିଲର କମିଶନ ୨.୫୯ ଟଙ୍କା ଓ ଭ୍ୟାଟ ୧୨.୯୯ ଟଙ୍କା ଲାଗୁଛି। ସେହିପରି ଅନ୍ୟାନ୍ୟ ଟିକସ ବାବଦରେ ୦.୩୧ ଟଙ୍କା ଲାଗୁ କରାଯାଉଛି। ଫଳରେ ଡିଜେଲର ଲିଟର ପିଛା ଦାମ ୮୮.୭୭ ଟଙ୍କା ହୋଇଛି।
ବିଶେଷଜ୍ଞଙ୍କ ମତରେ ସମଗ୍ର ଦେଶରେ ପେଟ୍ରୋଲର ଲିଟର ପିଛା ଦାମ ୭୫ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୬୮ ଟଙ୍କା ହୋଇଯିବ। କେନ୍ଦ୍ର ସରକାରଙ୍କ ରାଜସ୍ୱ ଆଦାୟରେ ୧ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିବ। ସେହିପରି ରାଜ୍ୟଗୁଡ଼ିକର ରାଜସ୍ୱ ଆଦାୟ ପ୍ରାୟ ୩୦ ହଜାର କୋଟି ଟଙ୍କା ଯାଏ କମିଯିବ।
ବର୍ତ୍ତମାନର ଦର ଅନୁସାରେ, ପେଟ୍ରୋଲ ଲିଟର ପିଛା ୨୬ ଟଙ୍କା ଓ ଡିଜେଲ ଲିଟର ପିଛା ୨୦ ଟଙ୍କା ଶସ୍ତା ହେବ। ପେଟ୍ରୋଲ ଓ ଡିଜେଲ ଦର କମିଲେ ରାଜ୍ୟ ତଥା ରାଜ୍ୟ ଜିଡିପି ୦.୪% ଯାଏ ହ୍ରାସ ପାଇବ। ଶସ୍ତା ହେବା ଦ୍ୱାରା ଦ୍ରବ୍ୟର ବ୍ୟବହାରିକ ଚାହିଦା ବଢ଼ିବ। ପେଟ୍ରୋଲ ଓ ଡିଜେଲ ଶସ୍ତା ହେଲେ ମହାରାଷ୍ଟ୍ର ସରକାର ୧୦,୪୨୪ କୋଟି ଟଙ୍କା ଓ ଉତ୍ତର ପ୍ରଦେଶ ସରକାର ୨୪୧୯ କୋଟି ଟଙ୍କାର କ୍ଷତି ସହିବେ।