ରାଜ୍ୟ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ; ୧୮ରୁ ବର୍ଷିବ

ସତ୍ୟଶିଖା(ଭୁବନେଶ୍ୱର )୧୬.୦୯ .୨୦୨୧:  ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଗୋଟିଏ ଲଘୁଚାପ । ଆସନ୍ତା ୧୮ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ ତାରିଖରେ ପଶ୍ଚିମବଙ୍ଗର ମେଦିନୀପୁର ଓ ସଂଲଗ୍ନ ବାଲେଶ୍ୱର ନିକଟରେ ରହିବ। ଏହା ବର୍ତମାନର ଲଘୁଚାପ ବଳୟ ଓ ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗରେ ମିଶିବା ପରେ ସୁନ୍ଦରଗଡ଼ ଦେଇ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ। ୨୧ ତାରିଖ ପର୍ଯ୍ୟନ୍ତ ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା କମ୍‌। ତେବେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଆସନ୍ତା ୨୩ ତାରିଖରେ ମିଆଁମାର ନିକଟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ତେବେ ତାହାର ବିଶେଷ ପ୍ରଭାବ ରହିବ ନାହିଁ। ୨୫ ତାରିଖ ପର୍ଯ୍ୟନ୍ତ ଏହା ବଳୟରେ ହିଁ ରହିବ। ତା’ପରେ କିଭଳି ରୂପ ନେବ ସେନେଇ ବର୍ତମାନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ। ସେ ଦୃଷ୍ଟିରୁ ଦେଖିଲେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ। ସମୁଦାୟ ବର୍ଷାର ପରିମାଣ ୫୦ରୁ ୭୦ ମିମି ହୋଇପାରେ। ସ୍ଥାନେ ସ୍ଥାନେ ୯୦ ମିମି ବର୍ଷା ହେବ। ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଉପକୂଳରେ, ୨୨ରୁ ୨୪ ତାରିଖ ଯାଏ ଦକ୍ଷିଣ ଅଭ୍ୟନ୍ତରୀଣରେ ଓ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ୨୪ ତାରିଖରୁ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ଆହୁରି କମିବ। ତେବେ ମୌସୁମୀ ସକ୍ରିୟ ହେତୁ ବିକ୍ଷିପ୍ତ ହାଲୁକା ବର୍ଷା ହୋଇପାରେ।

Show More
Back to top button