

ସତ୍ୟଶିଖା ( ଭୁବନେଶ୍ୱର )୨୨/୦୮/୨୦୨୧: ଜନ ଆଶୀର୍ବାଦ ଯାତ୍ରାରେ ଆକ୍ସନ ମୋଡରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଜାତୀୟ ରାଜପଥ ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି । ଦଳର ବରିଷ୍ଠ ନେତା, ଶିକ୍ଷାବିତ ଓ ସାହିତ୍ୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତିି । ସେପଟେ ପଶ୍ଚିମ ଓ ଦକ୍ଷିଣ ଓଡିଶା ଗସ୍ତରେ ଥିବା ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ଜିଲ୍ଲା ବୁଲି ମୋଦି ସରକାରଙ୍କ ଯୋଜନା ବାବଦରେ ଲୋକଙ୍କୁ ବୁଝାଇଛନ୍ତି । ଆଉ ରହିଥିବା ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଆକ୍ସନ ମୋଡରେ ଦୁଇ କେନ୍ଦ୍ରମନ୍ତ୍ରୀ । ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଜନ ଆଶୀର୍ବାଦ ଅଭିଯାନରେ ଓଡିଶା ଆସିଥିବା ଦୁଇ ମନ୍ତ୍ରୀ ଲୋକଙ୍କ ସହ ମିଶିବା ଓ ଓଡିଶା ଭିତିକ କାର୍ଯ୍ୟକ୍ରମର ସମୀକ୍ଷା ବି କରୁଛନ୍ତି । କେମିତି ହେବ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାରେ ପୂର୍ବ ଭାରତର ଭିତ୍ତିଭୂମିର ବିକାଶ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏନଏଚ୍ ଓ ଏନଏଚଏଆଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଭାରତମାଳା ଯୋଜନାରେ କୋଷ୍ଟାଲ ହାଇୱେ ପ୍ରକଳ୍ପର ଅଗ୍ରଗତି, ଭୁବନେଶ୍ୱର ରିଙ୍ଗ ରୋଡ଼ ପ୍ରକଳ୍ପ, ପାରାଦ୍ୱୀପ ଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କରିଡ଼ର ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏଥିସହ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ , ଲେଖିକା ପ୍ରତିଭା ରାୟଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମନ୍ଦିର ବୁଲି ଆଜିର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଳାହାଣ୍ଡିର ଆମପାଣିରେ ଥିବା ବୁଢ଼ାରାଜା, ଜୁନାଗଡରେ ଥିବା ଲଙ୍କେଶ୍ୱରୀ, ଭବାନୀପାଟଣାର ମାଣିକେଶ୍ୱର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଆଉ ତାପରେ ଶୋଭାଯାତ୍ରା କରିବା ସହ ରେଳ ଇଞ୍ଜିନ ମରାମତି କାରଖାନା ପାଇଁ ହୋଇ ଆସୁଥିବା ଦୀର୍ଘ ଦିନର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ବଲାଙ୍ଗୀର ଗସ୍ତରେ ଯାଇ ଶୋଭାଯାତ୍ରା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ପଥପ୍ରାନ୍ତ ସଭାରେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ସମସ୍ୟା ନେଇ ଲୋକଙ୍କୁ ପଚାରି ବୁଝିଛନ୍ତି । ଆଉ ବଲାଙ୍ଗୀର ଖୋର୍ଦ୍ଧା ରେଳ ପ୍ରକଳ୍ପ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତିନି ଦିନ ହେଲା ଜନ ଆଶୀର୍ବାଦ ଯାତ୍ରାରେ ବାହାରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ଏହି ଯାତ୍ରା ସମୟରେ ମୋଦି ସରକାର କିଭଳି ଓଡିଶାର ବିକାଶକୁ ଫୋକସରେ ରଖିଛନ୍ତି ସେନେଇ ଲୋକଙ୍କ ଅବଗତ କରୁଛନ୍ତି ।