ସ୍ୱାସ୍ଥ୍ୟ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଲାଗୁ କରାଯାଉଛି: ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର ) ୧୫.୦୮ .୨୦୨୧: ଦେଶର ୭୫ତମ ସ୍ବାଧୀନତା ଦିବସ ଅବସରରେ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଲାଗୁ କରାଯାଉଛି। ଏଥିରେ ୩.୫ କୋଟି ଲୋକ ଉପକୃତ ହେବେ। ଏଥିଲାଗି ଆଜି ଠାରୁ ୯୬ ଲକ୍ଷ ପରିବାର ସ୍ମାର୍ଟ ହେଲ୍ଥ କାର୍ଡ ପାଇବେ। ଏହା ଦେଶରେ ପ୍ରଥମ। ଏହାଫଳରେ ରାଜ୍ୟରେ କେହି ଅର୍ଥାଭାବ ପାଇଁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ। ମୁଁ ସବୁବେଳେ କହିଆସିଛି, ସାରା ଓଡ଼ିଶା ମୋ ପରିବାର। ଏଥିରେ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାମାନଙ୍କ ଲାଗି ୧୦ ଲକ୍ଷ ଟଙ୍କା ଯାଏଁ ଆର୍ଥିକ ସୁବିଧା ମିଳିବ। କେବଳ ଓଡ଼ିଶାରେ ନୁହେଁ, ଦେଶର ୨୦୦ଟି ବଡ଼ ବଡ଼ ହସ୍ପିଟାଲରେ ବି ମିଳିବ ଏହି ସ୍ବାସ୍ଥ୍ୟ ସେବା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୭୫ ବର୍ଷ ଗୋଟିଏ ଦେଶ ପାଇଁ, ଜାତି ପାଇଁ ବହୁତ ବଡ଼ ସମୟ ନ ହେଲେ ମଧ୍ୟ ଏହାର ବିଶେଷ ଗୁରୁତ୍ବ ରହିଛି। ଭାରତର ଗଣତନ୍ତ୍ରକୁ ଆମର ସବୁଠାରୁ ବଡ଼ ସଫଳତା ଭାବରେ ବର୍ଣ୍ଣନା କରି ଦେଶର ବିକାଶ ପ୍ରକ୍ରିୟାରେ ଏହା ସମସ୍ତଙ୍କୁ ଭାଗୀଦାର କରିବାରେ ସଫଳ ହୋଇଛି।

କୋଭିଡ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କୁ ବାଟ ଦେଖାଇଛି। ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ୍ ଯୋଗାଇବାରେ ଓଡ଼ିଶା ପ୍ରଥମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କରୋନା କାଳରେ ୨ ମାସ ଧରି ୧୭ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇଥିଲୁ, ଅନେକ ଜୀବନ ବଞ୍ଚାଇଥିଲୁ। ସାରା ଓଡ଼ିଶା ମୋ ପରିବାର, ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

ହୃତ୍ ହକିର ଗୌରବକୁ ଫେରାଇ ଆଣିବା ଲାଗି ଆମେ ୨୦୧୮ରେ ଯେଉଁ ପ୍ରୟାସ ଆରମ୍ଭ କରିଥିଲୁ, ତାହାର ସୁଫଳ ମିଳିଛି। ଏଥିଲାଗି ଅଲମ୍ପିକ୍ସରେ ହକି ପାଇଁ ଭାରତୀୟ ଦଳ ପଦକ ପାଇଛି। ଦେଶର ଗୌରବ ବଢିଛି। ୫-ଟି ଜରିଆରେ ରାଜ୍ୟର ୧୦୭୨ଟି ବିଦ୍ୟାଳୟର ରୂପାନ୍ତର କରାଯାଉଛି। ମୋ ସ୍କୁଲ କାର୍ଯ୍ୟକ୍ରମ ଲୋକପ୍ରିୟ ହୋଇଛି, ୫ ଲକ୍ଷରୁ ଅଧିକ ଆଲୁମିନା ସ୍କୁଲର ବିକାଶ ପାଇଁ ଆଗେଇ ଆସିଛନ୍ତି। ସବୁ କ୍ଷେତ୍ରରେ ଓଡ଼ିଶା ବିକାଶର ନୂଆ ନୂଆ ମାଇଲଷ୍ଟୋନ ହାସଲ କରିଛି। ଆଗକୁ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ନିଜର ପରିଚୟକୁ ଆହୁରି ଉଜ୍ଜଳ କରିପାରିବ ବୋଲି ବି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ପ୍ରଥମେ ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଥିଲେ। ସେ ରାଜ୍ୟବାସୀଙ୍କୁ ଦେଶର ୭୫ତମ ସ୍ବାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Show More
Back to top button