

ସତ୍ୟଶିଖା(ଭୁବନେଶ୍ୱର ) ୧୧.୦୮ .୨୦୨୧: ଜୁନ୍ ପହିଲାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିଲା । ଜୁନ୍ ୧୦ରେ ଏହା ଓଡ଼ିଶା ଛୁଇଁବା ସହ ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା । ଆଜିକୁ ମୌସୁମୀ ଛୁଇଁବା ୨ ମାସ ହେଲା, ହେଲେ ବର୍ଷାର ଦେଖାନାହିଁ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୂତାବକ, ରାଜ୍ୟର ୩୦ ଜିଲ୍ଲାରୁ ମାତ୍ର ୮ଟିରେ ସ୍ୱାଭାବିକ୍ ବର୍ଷା ରେକର୍ଡ ହୋଇଥିବାବେଳେ ୨୨ ଜିଲ୍ଲାରେ ଏଯାବତ୍ ଅଭାବୀ ବର୍ଷା ସ୍ଥିତି ରହିଛି । ଏବେସୁଦ୍ଧା ଓଡ଼ିଶାରେ ପ୍ରାୟ ୭୦୦ ମିମି ବର୍ଷା ରେକର୍ଡ ହେବା କଥା, ହେଲେ ମାତ୍ର ୪୮୮ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷାଠୁ ୨୯% ନିଅଣ୍ଟିଆ ରହିଛି । ୨୨ ଜିଲ୍ଲା ମଧ୍ୟରୁ ୪ ଜିଲ୍ଲା ଯଥା- ଭଦ୍ରକ, ଯାଜପୁର, ଗଜପତି ଓ ବଲାଙ୍ଗିରରେ ସବୁଠୁ କମ୍ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ସି ବିଶ୍ୱାସ କହିଛନ୍ତି । ୧୫ ପୂର୍ବରୁ ରାଜ୍ୟରେ ମୌସୁମୀ ଜନିତ ବର୍ଷା ସ୍ଥିତିରେ ସୁଧାର ଆସିବା ସମ୍ଭାବନା କମ୍ । କ୍ରମାଗତ ଭାବେ ମୌସୁମୀ ଜନତି ନିମ୍ନଚାପରେଖା ଦେଶର ଉତ୍ତର ପଟକୁ ରହୁଛି ।
ତେଣୁ ପ୍ରବାହ କ୍ରମାଗତ ଭାବେ ନିଷ୍କ୍ରିୟ ରହିଛି । ଏହା ମଧ୍ୟରେ ଏକାଧିକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ହେଲେ ରାଜ୍ୟକୁ ଆଶନୁରୂପ ବର୍ଷା ହୋଇନାହିଁ । ଆସନ୍ତା ୧୫ ତାରିଖ ପରେ ରାଜ୍ୟକୁ ବଡ଼ ବର୍ଷା ସମ୍ଭାବନା ରହିଛି । ପାଣିପାଗ ନିୟାମକ ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଏହିପରି ପୂର୍ବାନୁମାନ କରିଥିବା ଶ୍ରୀ ବିଶ୍ୱାସ କହିଛନ୍ତି । ସେହିପରି ଗୁରୁବାର ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଶୁକ୍ରବାରଠାରୁ କାଳବୈଶାଖୀ ପ୍ରକୋପ ମଧ୍ୟ କମିବ । ଆସନ୍ତା ସପ୍ତାହ ସୋମବାର ବେଳକୁ ବର୍ଷା ପରିମାଣ ବୃଦ୍ଧିପାଇବ । ଏବେ ବାୟୁ ମଣ୍ଡଳରେ ଲମ୍ବିଥିବା ନିମ୍ନଚାପରେଖା ପ୍ରଭାବରେ ପଡ଼ୋଶୀ ରାଜ୍ୟରେ ବର୍ଷା ଜାରି ରହିଛି । ଏହା ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ହେଲେ ଆଜି ରାଜ୍ୟର ୧୬ ଜିଲ୍ଲାକୁ କାଳବୈଶାଖୀ ଜନିତ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ତଥା କେନ୍ଦ୍ରୀୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ତା’ର ପ୍ରକୋପ ଦେଖାଇବ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏବେ ଗରମ ଓ ଗୁଳୁଗୁଳି ଅସହ୍ୟ ହେଉଥିବାବେଳେ ଉପରବେଳାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ରାୟଗଡ଼ାରେ କାଳବୈଶାଖୀ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।