ଦେଶ

LACରେ ବିବାଦକୁ ରୋକିବା ପାଇଁ ସିକ୍କିମରେ ଭାରତ ଓ ଚୀନ୍‌ ସୀମା ମଧ୍ୟରେ ପ୍ରତିଷ୍ଠା ହେଲା ହଟଲାଇନ୍‌

ସତ୍ୟଶିଖା(ନୂଆଦିଲ୍ଲୀ) ୦୨.୦୮ .୨୦୨୧: ଭାରତ ଓ ଚୀନ ମଧ୍ୟରେ ସହାବସ୍ଥାନ ଲାଗି ହଟଲାଇନ ପ୍ରତିଷ୍ଠା। ଉତ୍ତର ସିକିମ ସେକ୍ଟରରେ ଭାରତୀୟ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ହଟଲାଇନ ପ୍ରତିଷ୍ଠା କରାଯାଇଛି। ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସ୍ଥିରତା ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଉତ୍ତର ସିକିମର କୋଙ୍ଗ୍ରା ଓ ତିବ୍ବତୀୟ ଅଞ୍ଚଳର ଖାମ୍ବା ଜୋଙ୍ଗସ୍ଥିତ ପିଏଲଏ ମଧ୍ୟରେ ଏହି ହଟଲାଇନ କାର୍ଯ୍ୟକାରୀ ହେବ। ଦୁଇ ଦେଶ ମଧ୍ୟରେ ବାରମ୍ବାର ଶୀତଳ ଯୁଦ୍ଧ ସ୍ଥିତି ଲାଗୁଥିବାରୁ ଏହି ହଟଲାଇନ ଅନେକ ସମସ୍ୟାର ସମାଧାନ କରିପାରିବ ବୋଲି ଆଶା କରାଯାଉଛି।

ଗତବର୍ଷ ପୂର୍ବ ଲଦ୍ଦାଖରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଦୁଇ ଦେଶ ମଧ୍ୟରେ ଦ୍ୱାଦଶ କର୍ପସ କମାଣ୍ଡରସ୍ତରୀୟ ବୈଠକ ପରେ ଏହି ପଦକ୍ଷେପ ନିଆଯାଇଛି। ଶନିବାର ଅନୁଷ୍ଠିତ ଏହି ବୈଠକରେ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନରାଲ ପିଜିକେ ମେନନ ଓ ଚୀନ ପକ୍ଷରୁ ଚିଫ ମେଜର ଜେନରାଲ ଲିଉ ଲିନ ଭାଗ ନେଇଥିଲେ। ହଟସ୍ପ୍ରିଙ୍ଗସ, ଗୋଗ୍ରା, କୋଙ୍ଗକା ଲା ଅଞ୍ଚଳରେ ସ୍ଥିରତା ବଜାୟ ରଖିବା ଲାଗି ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ ସେଠାରୁ ସୈନ୍ୟ ଅପସାରଣ ଲାଗି ନିଷ୍ପତ୍ତି ହୋଇଥିଲା।

ତୃଣମୂଳ ସ୍ତରରେ ଦୁଇ ଦେଶର କମାଣ୍ଡର ସ୍ତରରେ ଯେପରି ସମସ୍ତ ସମସ୍ୟାର ସମାଧାନ ହେବ ସେଥିପାଇଁ ହଟଲାଇନ ପ୍ରତିଷ୍ଠା କରାଯାଇଛି। ହଟଲାଇନ ପ୍ରତିଷ୍ଠା ଅବସରରେ ଉଭୟ ପକ୍ଷର କମାଣ୍ଡର ଯୋଗ ଦେଇଥିଲେ। ୩ ହଜାର ୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖାରେ ଏହା ହେଉଛି ଷଷ୍ଠ ହଟଲାଇନ।

Show More
Back to top button