ଖେଳ

ବିଶ୍ୱକପରେ ସଚିନଙ୍କ ନୂଆ ଅବତାର ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ହରଭଜନ

ନୂଆଦିଲ୍ଲୀ: ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜର ୨୪ ବର୍ଷର କ୍ୟାରିୟରରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ଏବଂ ଏକାଧିକ ମାଇଲଖୁଣ୍ଟ ମଧ୍ୟ ଅର୍ଜନ କରିଛନ୍ତି। ୧୯୮୯ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ସଚିନଙ୍କୁ ବିଶ୍ୱକପ୍ ଟାଇଟଲ୍ ଜିତିବା ପାଇଁ ୨୨ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ସଚିନଙ୍କ ସ୍ୱପ୍ନ ୨୦୧୧ ବିଶ୍ୱକପ୍ ଜିତିବା ସହ ପୂରଣ ହୋଇଥିଲା। ଏହା ସଚିନଙ୍କ କ୍ୟାରିୟରର ଷଷ୍ଠ ବିଶ୍ୱକପ୍ ଥିଲା। ଏହି ବିଶ୍ୱକପକୁ ଜିତିବା ପରେ ଭାରତୀୟ କ୍ରିକେଟ୍ ଟିମର ଖେଳାଳିମାନେ ସଚିନଙ୍କ ଏକ ଭିନ୍ନ ଅବତାର ଦେଖିବାକୁ ପାଇଥିଲେ। ତେବେ ସଚିନଙ୍କ କେଉଁ ଅବତାର ସମସ୍ତଙ୍କୁ ଚକିତ କରିଥିଲା, ତା’ର ଖୁଲାସା କରିଛନ୍ତି ଭେଟେରାନ୍ ସ୍ପିନର ହରଭଜନ ସିଂହ।

ହରଭଜନ କହିଛନ୍ତି, ଯେଉଁଦିନ ଆମେ ବିଶ୍ୱକପ୍ ଜିତିଲୁ, ସେହିଦିନ ଡ୍ରେସିଂ ରୁମରେ ସଚିନଙ୍କ ଭିନ୍ନ ରୂପ ଦେଖିବାକୁ ପାଇଥିଲୁ, ଯାହା ପୂର୍ବରୁ କେବେ ଦେଖିବାକୁ ପାଇନଥିଲୁ ମ୍ୟାଚ୍ ଜିତିବା ପରେ ସଚିନ ନିଜ ପତ୍ନୀ ଅଞ୍ଜଳିଙ୍କ ସହ ଖୁବ୍ ଡାନ୍ସ କରିଥିଲେ। ଯେବେଠାରୁ ମୁଁ ସଚିନଙ୍କ ସହ ଖେଳିବା ଆରମ୍ଭ କରିଲି, ସେବେଠାରୁ କେବେବି ସଚିନଙ୍କୁ କ୍ରିକେଟ୍ ବ୍ୟତୀତ ଅନ୍ୟ କିଛି କରୁଥିବାରୁ ଦେଖିନଥିଲି। କିନ୍ତୁ ସେହି ରାତିରେ ମୁଁ ତାଙ୍କୁ (ସଚିନ) ପ୍ରଥମଥର ଲାଗି ଡାନ୍ସ କରୁଥିବାରୁ ଦେଖିଲି।

ଆହୁରି ପଢ଼ନ୍ତୁ

ହରଭଜନ ଆହୁରି କହିଛନ୍ତି, ସେହି ରାତିରେ ସଚିନ ‘ଡାର୍ଲିଂ ଆଖୋଁ ସେ ଆଖେଁ ଚାର୍ କରନେ ଦୋ’ ଗୀତରେ ଡାନ୍ସ କରିଥିଲେ। ସଚିନଙ୍କୁ ଏଭଳି ଡାନ୍ସ କରୁଥିବାର ଦେଖି ବହୁତ ଖୁସି ଲାଗିଲା। ଆମେ ସମସ୍ତେ ସେହି ମୁହୂର୍ତ୍ତକୁ ଖୁବ୍ ଉପଭୋଗ କରିଥିଲୁ। ୱାର୍ଲ୍ଡ କପ୍ ଟ୍ରଫି ଧରିବା ତାଙ୍କ ସ୍ୱପ୍ନ ଥିଲା, ଯାହା ପୂରଣ ହୋଇଥିଲା। ସୂଚନାଯୋଗ୍ୟ, ସଚିନ ସେହି ବିଶ୍ୱକପରେ ୯ ମ୍ୟାଚ୍ ଖେଳି ୫୩.୫୬ ହାରରେ ୪୮୨ ରନ୍ କରିଥିଲେ। ବିଶ୍ୱକପ୍ ଜିତିବା ପରେ ଭାରତୀୟ କ୍ରିକେଟ୍ ଟିମର ସବୁ ଖେଳାଳି ସଚିନଙ୍କୁ କାନ୍ଧରେ ଉଠାଇ ପୂରା ମଇଦାନର ପରିକ୍ରମା କରାଇଥିଲେ।

ସଚିନଙ୍କ ଭଳି ହରଭଜନ ବିଶ୍ୱକପ୍ ଜିତିବା ପରେ ଖୁସିରେ ଖୁବ୍ କାନ୍ଦିଥିଲେ। ଏ ନେଇ ଭଜି କହିଛନ୍ତି, ବିଶ୍ୱକପ୍ ଟ୍ରଫି ଧରିବା ନିଶ୍ଚିତ ଭାବେ ଭିନ୍ନ ଅନୁଭୂତି। ସତ କହିବାକୁ ଗଲେ, ପ୍ରଥମଥର ମୁଁ ସମସ୍ତଙ୍କ ସାମ୍ନାରେ କାନ୍ଧିଥିଲି। ସେହିଦିନ ରାତିରେ ମଧ୍ୟ ମୁଁ ବେକରେ ପିନ୍ଧି ଲଗାଇ ଶୋଇଥିଲି। ଯେତେବେଳେ ମୁଁ ଉଠିଲି, ମୋ ବେକରେ ସେହି ପଦକକୁ ଦେଖି ନିଜକୁ ଗର୍ବିତ ମନେ କରିଥିଲି। ତେବେ ଏହା କେବଳ ମୋ ପାଇଁ ପୂରା ଟିମ୍ ଏବଂ ଦେଶ ପାଇଁ ଐତିହାସିକ କ୍ଷଣ ଥିଲା।

ସୂଚନାଯୋଗ୍ୟ, ୧୯୮୩ରେ କପିଲ୍ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ବିଶ୍ୱ ଚାମ୍ପିୟନ୍ ହେବାର ଆଖ୍ୟା ଅର୍ଜନ କରିଥିଲା। ଏହାର ୨୮ ବର୍ଷ ପରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଧୋନିଙ୍କ ନେତୃତ୍ୱରେ ଭାରତ ପୁଣିଥରେ ବିଶ୍ୱ ବିଜେତା ହୋଇଥିଲା। ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ହରାଇ ଟ୍ରଫି ଜିତିଥିଲା।

[ad_2]
Show More
Back to top button