

ସତ୍ୟଶିଖା(ନୂଆଦିଲ୍ଲୀ) ୨୧.୦୬.୨୦୨୧: ଭାରତରେ କରୋନା ଭାଇରସର ୨ୟ ଲହର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଅବସ୍ଥାରେ ସଂଶୋଧନ ଆସିଥିବାରୁ କିଛି ରାଜ୍ୟ ପର୍ଯ୍ୟାୟ କ୍ରମେ ଅନଲକ ହେଉଛି । ଦିଲ୍ଲୀ, ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଅନଲକ୍ ହେଉଛି । ଆଜିଠାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ରେଷ୍ଟୁରାଣ୍ଟ ଖୋଲିବ । କିନ୍ତୁ ରେଷ୍ଟୁରାଣ୍ଟ ଖୋଲିବା ପୂର୍ବରୁ ଏହାର ମାଲିକ ଓ ଗ୍ରାହକଙ୍କୁ କିଛି ସତର୍କ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ।
ଦିଲ୍ଲୀ ସରକାର କୋଭିଡ-୧୯ର ୨ୟ ଲହର କାରଣରୁ ଲଗାଯାଇଥିବା କଟକଣା ପର୍ଯ୍ୟାୟ କ୍ରମେ କୋହଳ କରୁଛି । ସୋମବାର ରେଷ୍ଟୁରାଣ୍ଟ, ବାର ସାର୍ବଜନିକ ପାର୍କ ପୁଣି ଥରେ ଖୋଲିବାକୁ ଅନୁମତି ଦେଇଛି । ଆଦେଶ ଅନୁସାରେ ରେଷ୍ଟୁରାଣ୍ଟ ମଧ୍ୟାହ୍ନ ୧୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲିବ । ୫୦ ପ୍ରତିଶତ କ୍ଷମତାକୁ ନେଇ ଏହା ପରିଚାଳନା ହେବ । ଏଥି ସହିତ ରେଷ୍ଟୁରାଣ୍ଟରେ କୋଭିଡ ସୁରକ୍ଷା ସଂପର୍କିତ ଗାଇଡଲାଇନକୁ ପାଳନ କରାଯିବ ।
ଡିଡିଏମଏ ଆଦେଶ ଅନୁସାରେ ଜୁନ ୨୮ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ-କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ, ସିନେମାଘର, ଜିମ, ସ୍ପା, ସବୁ ପ୍ରକାରର ରାଜନୈତିକ ସମାବେଶ, ସାଂସ୍କୃତିକ କାର୍ଯ୍ୟକ୍ରମ, ଧାର୍ମିକ ସଭା ଆଦି ବନ୍ଦ ରହିବ ।
ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟ ସରକାର ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ଦିଲ୍ଲୀ ଭଳି ଏଠାରେ ମଧ୍ୟ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ରେଷ୍ଟୁରାଣ୍ଟ ଖୋଲାଯାଇପାରିବ । ଦୋକାନ-ବଜାର ଗୁଡ଼ିକ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ଶନିବାର ଓ ରବିବାର ସଟଡାଉନ ରହିବ ।
ମହାରାଷ୍ଟ୍ର ସରକାର ପାଂଚ ସ୍ତରୀୟ ଲକଡାଉନ ଯୋଜନାରେ ଦ୍ୱିତୀୟ ସ୍ତରରେ ଥିବା ନାସିକରେ ମଲ୍ସ ଗୁଡ଼ିକ ଖୋଲିବା ନେଇ ନିଷ୍ପତ୍ତି ନେଇଛି । ମଲ୍ସ ଗୁଡ଼ିକରେ ୫୦ ପ୍ରତିଶତ ଗ୍ରାହକ ପ୍ରବେଶ କରିପାରିବେ । ଏହା ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲାରହିବ । ଏବେ ଲାତୁରରେ ବିବାହ ସମାରୋହରେ ୫୦ ଜଣ ଲୋକ ସାମିଲ ହୋଇପାରିବେ ।
କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଉତ୍ତରାଖଣ୍ଡ ସରକାର କଟକଣା କୋହଳ କରିଛନ୍ତି । ରାଜ୍ୟରେ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ହୋଟେଲ ଓ ବାର ଗୁଡ଼ିକ ଖୋଲାଯାଇପାରିବ । ଏଥି ସହିତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ ।
କର୍ଣ୍ଣାଟକ ସରକାର ଜୁନ ୨୧ରୁ ଅନଲକ-୪ ବଳରେ ସମସ୍ତ ଦୋକାନ ବଜାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ରାଜ୍ୟ ସରକାର ଆଉଟଡୋର ଫିଲ୍ମ ସୁଟିଂକୁ ଅନୁମତି ଦେଇଛନ୍ତି । ମେଟ୍ରୋ ଟ୍ରେନ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ପରିଚାଳନ କରାଯିବ । କିନ୍ତୁ ସିନେମା ହଲ, ସୁଇମିଂ ପୁଲ, ସମସ୍ତ ଧାର୍ମିକ ସ୍ଥଳରେ କଟକଣା ଜାରି ରହିବ ।
ଆନ୍ଧ୍ରପ୍ରଦେଶ ସରକାର ଲକଡାଉନକୁ ଜୁନ ୩୦ ଯାଏଁ ବଢ଼ାଇ ଦେଇଛନ୍ତି । କିନ୍ତୁ କିଛି କାମରେ କଟକଣା କୋହଳ କରାଯାଇଛି । ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଖୋଲା ରହିବ । ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ ।