ଦେଶ

ଜମ୍ମୁ-କଶ୍ମୀରକୁ ପୁଣି ଥରେ ମିଳିପାରେ ରାଜ୍ୟ ମାନ୍ୟତା, ଜୁନ ୨୪ରେ ଆଲୋଚନା

ସତ୍ୟଶିଖା(ନୂଆଦିଲ୍ଲୀ) ୨୧.୦୬.୨୦୨୧: ସଂପ୍ରତି ଜମ୍ମୁ-କଶ୍ମୀରକୁ ନେଇ ରାଜୈନିକ ମାହୋଲ ସରଗରମ ରହିଛି। କ’ଣ ଜମ୍ମୁ-କଶ୍ମୀରରେ ହେବ ବିଧାନସଭା ନିର୍ବାଚନ ? ନା କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ମିଳିବ ? ଏହାକୁ ନେଇ ଶ୍ରୀନଗରଠୁ ଦିଲ୍ଲୀ ଚଳଚଞ୍ଚଳ ହୋଇ ଉଠିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଗୁରୁବାର ଜାମ୍ମୁ-କାଶ୍ମୀରର ଆଞ୍ଚଳିକ ଦଳ ସହ ବୈଠକ କରିବେ। ବୈଠକରେ ‘ରାଜ୍ୟ ମାନ୍ୟତା’ ଉପରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ଏହି ବୈଠକ ଉପରେ ଏବେ ସଭିଙ୍କ ନଜର।

ସୂତ୍ର ଅନୁଯାୟୀ, ଜମ୍ମୁ-କଶ୍ମୀରକୁ ଖୁବ୍ ଶୀଘ୍ର ରାଜ୍ୟ ମାନ୍ୟତା  ପ୍ରଦାନ କରାଯାଇପାରେ। ଏହା ପୂର୍ବରୁ ଶୁକ୍ରବାର ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଦିଲ୍ଲୀରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇ ସାରିଛି। ଅପରପକ୍ଷେ ଜମ୍ମୁ-କଶ୍ମୀରକୁ ପୁନର୍ବାର ରାଜ୍ୟ ମାନ୍ୟତା ପ୍ରଦାନ କରିବା ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଅନେକ ମାସ ଧରି ନିଜ କାର୍ଯ୍ୟରେ ଲାଗିଛନ୍ତି। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଜମ୍ମୁ-କଶ୍ମୀରବାସୀଙ୍କୁ ପୁନର୍ବାର ରାଜ୍ୟ ମାନ୍ୟତାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଜମ୍ମୁ-କଶ୍ମୀରକୁ କଣ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବ ସେ ନେଇ କୌଣସି ଆଲୋଚନା ହୋଇ ନଥିବା ଜଣା ପଡିଛି।

ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଐହାସିକ ନିଷ୍ପତିକ୍ରମେ ଜମ୍ମୁ-କଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଥିଲା। ସରକାରଙ୍କ ଏହି ନିଷ୍ପତ୍ତି ପରେ ଘାଟିରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଅନେକ ରାଜନୈତିକ ନେତାଙ୍କୁ ନଜରବନ୍ଦ କରି ରଖାଯାଇଥିଲା। ସ୍ଥିତିରେ ସୁଧାର ଆସିବା ସହ ଧୀରେ ଧୀରେ କଟକଣା କୋହଳ କରାଯାଇଥିଲା। ଏଥିସହ ଗୃହବନ୍ଦୀରେ ଥିବା ନେତାଙ୍କୁ ମୁକ୍ତ କରାଯାଇଥିଲା। ଏବେ କେନ୍ଦ୍ର ସରକାର ଏହା ଉପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି।

Show More
Back to top button