ଅନ୍ୟାନ୍ୟଦେଶ

ଲକଡାଉନ୍ କଟକଣା ପାଇଁ ମଝି ଆକାଶରେ ହେଲା ବାହାଘର

ସତ୍ୟଶିଖା(ମଦୁରୈ) ୨୬.୦୫.୨୦୨୧: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଅଧିକ ଭୟଙ୍କର ହେଉଥିବା ବେଳେ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ, ଅନେକ କଟକଣା ଜାରି କରାଯାଇଛି । ଏପରିକି ବିଭିନ୍ନ ରାଜ୍ୟରେ ବିବାହ ଉତ୍ସବ ଉପରେ କଡା କଟକଣା ମଧ୍ୟ ଲଗାଯାଇଛି । ଭୋଜିଭାତ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ କେବଳ ପରିବାର ଲୋକଙ୍କ ଗହଣରେ ବାହାଘର ପାଇଁ ଅନୁମତି ରହିଛି । ଆଉ ଏହାରି ଭିତରେ ତାମିଲନାଡୁରୁ କିଛି ଏମିତି ଦୃଶ୍ୟ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଲକଡାଉନ୍ କଟକଣା ପାଇଁ ଭୁପୃଷ୍ଠରେ ନୁହେଁଁ ବରଂ ଆକାଶରେ ବାହା ହେବାକୁ ଯୋଜନା କରିଥିଲେ ଦମ୍ପତ୍ତି । ଏବଂ ପରିବାର ଏବଂ ସମ୍ପର୍କୀୟଙ୍କ ଗହଣରେ ଉଡାଜାହାଜରେ ହୋଇଥିଲା ବାହାଘର । ତାମିଲନାଡୁର ମଦୁରୈରେ ଦେଖିବାକୁ ମିଳିଛି ଏମିତି ଏକ ନିଆରା ବାହାଘର ।

ତାମିଲନାଡୁରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ, ମେ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରକାର । ଆଉ ଏହି ସମୟରେ କୌଣସି ବି ସମାରୋହ କିମ୍ବା ଉତ୍ସବକୁ ଅନୁମତି ନାହିଁ । ଆଉ ଏପରି ସମୟରେ ମଦୁରୈର ରାକେଶ ଏବଂ ଦୀକ୍ଷା ନିଆରା ଉପାୟରେ ବିବାହ କରିବାକୁ ଚିନ୍ତା କରିଥିଲେ । ଏଥିପାଇଁ ସେମାନେ ଏକ ଚାଟାର୍ଡ ଫ୍ଲାଇଟ୍ ଭଡାରେ ନେଇଥିଲେ । ଆଉ ଉଡନ୍ତା ପ୍ଲେନରେ ପାଖାପାଖି ୧୩୦ଜଣ ସମ୍ପର୍କୀୟଙ୍କ ଗହଣରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିଥିଲେ ଏହି ଦମ୍ପତି । ଯେଉଁ ସମ୍ପର୍କୀୟମାନେ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ, ପ୍ରଥମେ ସେମାନଙ୍କର ଆରଟିପିସିଆର୍ ଟେଷ୍ଟ କରାଯାଇଥିଲା । ଏବଂ ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା, ସେମାନେ ହିଁ ପ୍ଲେନରେ ଚଢିଥିଲେ ।

ତେବେ ସୋସିଆଲ୍ ମିଡିଆରେ ଏହି ବିବାହ ଉତ୍ସବର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ, ଏବେ ବିବାଦ ସୃଷ୍ଟି ହୋଇଛି । ଲକଡାଉନ୍ ପାଇଁ ବିବାହ ଉତ୍ସବ ଉପରେ କଟକଣା ଥିବା ବେଳେ, ଏଭଳି ବାହାଘର ପାଇଁ କିଏ ଦେଲା ଅନୁମତି । ପ୍ଲେନ ଭିତରର ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରେ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଛି । ସାମାଜିକ ଦୂରତା ନିୟମର ମଧ୍ୟ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ଆଉ ଏହାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ନକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Show More
Back to top button