

ସତ୍ୟଶିଖା(ଚେନ୍ନାଇ) ୧୨ .୦୫.୨୦୨୧: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଭିକେ ଶଶିକଳା ରାଜନୀତିକୁ ଅଲବିଦା କହିଛନ୍ତି। ବେଆଇନ ଭାବେ ସମ୍ପତ୍ତି ଠୁଳ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କୁ ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଦଳରୁ ବହିଷ୍କାର କରିଥିଲା। କିନ୍ତୁ ନିର୍ବାଚନ ପୂର୍ବରୁ ଜେଲ୍ରୁ ବାହାରିଥିବା ଶଶିକଳା ତାମିଲନାଡୁ ରାଜନୀତିରେ ପୁଣି ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଆଜି ଏକ ଅପ୍ରତ୍ୟାଶିତ ଭାବେ ସେ ରାଜନୀତୀ ଓ ପବ୍ଲିକ ଲାଇଫ୍ରୁ ସବୁଦିନ ପାଇଁ ଅବସର ନେଇଛନ୍ତି।
ଶଶିକଳା ବିବୃତି ଜରିଆରେ କହିଛନ୍ତି ଜୟା (ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା) ବଞ୍ଚିଥିବା ବେଳେ ମୁଁ କେବେ କ୍ଷମତା କିମ୍ବା ପଦ ପଛରେ ଗୋଡ଼ାଇ ନଥିଲି। ସେ ପ୍ରାଣ ହରାଇବା ପରେ ମଧ୍ୟ ମୁଁ ସେମିତି କିଛି କରିବି ନାହିଁ। ଏଥିପାଇଁ ମୁଁ ରାଜନୀତିକୁ ସବୁଦିନ ପାଇଁ ପାଇଁ ବାଏବାଏ କହୁଛି। ହେଲେ ଜୟାଙ୍କ ପାର୍ଟି (ଏଆଇଏଡିଏମକେ) ଜିତୁ ବୋଲି ମୁଁ ପ୍ରାର୍ଥନା କରୁଛି। ସେହିପରି ଜୟାଙ୍କ ଲିଗାସି ଆଗକୁ ବଢ଼ୁ ବୋଲି ମୁଁ ଚାହୁଁଛି। ମୁଁ ଏଆଇଏଡିଏମକେର କର୍ମୀମାନଙ୍କୁ ନିବେଦନ କରିବାକୁ ଚାହେଁ ସେମାନେ ଏକାଠି କାମ କରି ଡିଏମକେକୁ ପରାସ୍ତ କରନ୍ତୁ। ଜୟାଙ୍କ ଲିଗାସିକୁ ଆଗକୁ ନେବାକୁ ଦଳର କର୍ମୀମାନେ କାର୍ଯ୍ୟ କରି ଚାଲନ୍ତୁ।
ସୂଚନାଯୋଗ୍ୟ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁପ୍ରିମକୋର୍ଟ ଭିକେ ଶଶିକଳାଙ୍କୁ ୨୦୧୭ ମସିହା ଫେବୃଆରୀ ୧୪ରେ ଦୋଷୀ ସାବ୍ୟସ୍ତ କରିଥିଲେ। ସେବେଠାରୁ ସେ ଜେଲ୍ରେ ଥିଲେ। ଚଳିତ ବର୍ଷ ଜାନୁଆରୀ ୨୭ରେ ସେ ଜେଲ୍ରୁ ମୁକୁଳିବା ପରେ ଜାନୁଆରୀ ୩୧ରେ ତାମିଲନାଡୁ ଆସି କହିଥିଲେ ମୁଁ ଖୁବଶୀଘ୍ର ଆପଣମାନଙ୍କୁ ଭେଟିବି। ମୁଁ ପୂର୍ଣ୍ଣକାଳୀନ ରାଜନୀତିକୁ ଆସୁଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶଶିକଳା ଏଆଇଏଡିଏମକେରୁ ବହିଷ୍କୃତ ହୋଇଥିଲେ ହେଁ ଦଳର ସଂଘର୍ଷ କଥା ସମସ୍ତଙ୍କୁ କହିଥିଲେ। ସେ କହିଛନ୍ତି ଏଆଇଏଡିଏମକେ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲା। ହେଲେ ଦଳ ସବୁ ସମସ୍ୟାକୁ ପଛରେ ପକାଇ ଆଗକୁ ଆସିଛି। ଆମେ ସମସ୍ତେ ଏକାଠି ହୋଇ ଆମ ମାନଙ୍କର ଏକମାତ୍ର ଶତ୍ରୁକୁ ପରାସ୍ତ କରିବା। ଏବେ ରାଜନୀତିକୁ ବାଏବାଏ କହି ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।