

ସତ୍ୟଶିଖା(ଭୁବନେଶ୍ୱର) ୦୫.୦୪.୨୦୨୧: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର୍ କରିଥିବା ବେଳେ ବେଳେ ରାଜ୍ୟରେ ବି ୫୦୦ ଡେଇଁଛି ଦୈନିକ ପଜିଟିଭ ସଂଖ୍ୟା। ଗତ ୩ ଦିନ ହେଲା ୫୦୦ ମୁହାଁ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୭୩ରେ ପହଞ୍ଚି ଯାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୩୨, କଟକରୁ ୨୮, କଳାହାଣ୍ଡିରୁ ୨୪, ବଲାଙ୍ଗିରରୁ ୨୦ ଚିହ୍ନଟ ହୋଇଛନ୍ତି। ଏଥିସହ ରାୟଗଡ଼ାରୁ ୧୬, ମୟୂରଭଞ୍ଜରୁ ୧୩, ବାଲେଶ୍ୱରରୁ ୧୧, କେନ୍ଦୁଝରରୁ ୮ ଚିହ୍ନଟ ହୋଇଛନ୍ତି। ଗତ ତିନି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୪୫୦ ଉପରେ ରହିଛି। ଗତ ୩ ଦିନ ଧରି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ଯଥାକ୍ରମେ ୪୬୧ ଓ ୪୫୨ ଓ ୪୭୧ ରହିଥିଲା।
ସୂଚନାଯୋଗ୍ୟ ଯେ, ଦେଶରେ ୨ୟ ଲହର ଜାରି ରହିଥିବାରୁ ଏବେଠାରେ ସାଂଘାତିକ ଅବସ୍ଥା ସୃଷ୍ଟି ହେଲାଣି । ଆଜି ଦେଶରେ ମଧ୍ୟ ପ୍ରଥମ ଥର ପାଇଁ ରେକର୍ଡ କରିଛି ମହାମାରୀ । ଦିନକରେ ଲକ୍ଷେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩ ହଜାର ୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୭୮ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ୯୭, ୮୯୪ ଥିଲା ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ, ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି। ସେହିପରି ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧ରେ ପହଞ୍ଚିଛି।