

ସତ୍ୟଶିଖା,(ମୁମ୍ବାଇ) ୨୪ .୦୩ .୨୦୨୧ : କଙ୍ଗନା ରାନାୱତଙ୍କ ଫିଲ୍ମ ‘ଥଲାଇଭି’ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଫିଲ୍ମର ଘୋଷଣା ପରେ ତାଙ୍କ ଫ୍ୟାନ୍ସମାନେ ବେଶ ଉତ୍ସାହିତ ଅଛନ୍ତି । ଫ୍ୟାନ୍ସମାନେ ଏହି ଟ୍ରେଲରକୁ ବେଶ ପସନ୍ଦ କରୁଛନ୍ତି । ଆଜି ୨୩ ମାର୍ଚ୍ଚରେ କଙ୍ଗନାଙ୍କ ଜନ୍ମଦିନ ଅବସରରେ ଏହି ଅଫିସିଆଲ୍ ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମଟି ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ, ଯିଏ ଜଣେ ଅଭିନେତ୍ରୀରୁ ରାଜନେତା ହୋଇଥିଲେ । ତାଙ୍କ ବାୟୋପିକରେ କଙ୍ଗନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । କଙ୍ଗନା ପାଇଁ ଏହି ସୁଯୋଗ ଅଧିକ ସ୍ୱତନ୍ତ୍ର କାରଣ ଗତକାଲି ସେ ‘ପଙ୍ଗା’ ଏବଂ ‘ମଣିକର୍ଣ୍ଣିକା’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ନେସନାଲ୍ ଆୱାର୍ଡ ପାଇଛନ୍ତି । ଟ୍ରେଲରର ସିନ୍ ଏବଂ ଡାଏଲଗ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । କଙ୍ଗନାଙ୍କ ଫ୍ୟାନ୍ସମାନେ ଟ୍ରେଲରକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଫିଲ୍ମକୁ ପ୍ରଥମରୁ ବ୍ଲକବଷ୍ଟର ଘୋଷଣା କରିସାରିଛନ୍ତି । ୩ ମିନିଟ ୧୫ ସେକେଣ୍ଡର ଟ୍ରେଲରରେ ଜୟଲଳିତାଙ୍କ ଜୀବନର ଅନେକ କିଛି ଦେଖିବାକୁ ମିଳିଛି । କିଛି ଡାଏଲଗସ୍ ମଧ୍ୟ ଖୁବ୍ ଦମଦାର ହୋଇଛି ଏବଂ ପାର୍ଲିୟାମେଣ୍ଟ ସିନକୁ ବହୁ ପ୍ରଶଂସା କରାଯାଉଛି ।
ଟ୍ରେଲର ରିଲିଜ୍ ପୂର୍ବରୁ କଙ୍ଗନା ପୋଷ୍ଟ କରିଥିଲେ,’ ଦେଶର ଆଇରନ୍ ଲେଡି ଯିଏ ତାଙ୍କର ସମ୍ପୁର୍ଣ୍ଣ ଜୀବନ ଲୋକଙ୍କ ଭଲ କରିବାରେ ବିତାଇ ଦେଇଥିଲେ । ସେ ଜଣେ ଅଭିନେତ୍ରୀ ଭାବରେ ଆରମ୍ଭ କରିଥିଲେ ଯାହାକୁ ଲୋକମାନେ ବହୁତ ଭଲ ପାଉଥିଲେ, ପରେ ସେ ଜଣେ ନେତା ହୋଇଥିଲେ ଯାହାକୁ ଲୋକମାନେ ଭରସା କରୁଥିଲେ ।‘ ଟ୍ରେଲର ଲଞ୍ଚ ପୂର୍ବରୁ କଙ୍ଗନା ମଧ୍ୟ ତାଙ୍କ ଲୁକ୍ ପୋଷ୍ଟ କରିଥିଲେ । ଥଲାଇଭିରେ କଙ୍ଗନା ଜୟଲଳିତାଙ୍କ ଲୁକ୍ ପାଇଁ କଠିନ ପରିଶ୍ରମ କରିଛନ୍ତି । ସେ ଫଟୋ ପୋଷ୍ଟ କରି କହିଥିଲେ ତାଙ୍କୁ ପ୍ରଥମେ ୨୦କିଲୋଗ୍ରାମ ଓଜନ ବଢାଇବାକୁ ପଡିଥିଲା ଏବଂ ପରେ ଏହାକୁ କମ୍ କରିବାକୁ ପଡିଥିଲା । ଏଏଲ୍ ବିଜୟ ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି ଏପ୍ରିଲ୍ ୨୩, ୨୦୨୧ରେ ସିନେମାହଲ୍ ରେ ରିଲିଜ୍ ହେବ ।