ମାଙ୍ଗଳିକ ଦୋଷରୁ ମୁକ୍ତି ପାଇଁ ନାବାଳକ ଛାତ୍ରକୁ ବାହାହେଲେ ଶିକ୍ଷୟତ୍ରୀ


ସତ୍ୟଶିଖା,( ଜଳନ୍ଧର) ୧୮.୦୩ .୨୦୨୧ : କୁହାଯାଏ ଗୁରୁ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ମାର୍ଗ ଦର୍ଶକ। କିନ୍ତୁ ଦେଖାଯାଇଛି ପିଲାମାନଙ୍କୁ ଶିକ୍ଷାଦାନ କରୁଥିବା ଜନୈକ ଶିକ୍ଷୟତ୍ରୀ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅକ୍ଷମଣୀୟ ଭୁଲ କରିଛନ୍ତି। ମାଙ୍ଗଳିକ ଦୋଷରୁ ମୁକ୍ତି ପାଇବା ପାଇଁ ୧୩ ବର୍ଷୀୟ ଛାତ୍ରକୁ କରିଛନ୍ତି ବିବାହ। ପଞ୍ଜାବର ଜଳନ୍ଧର ସହରର ଏକ ବସ୍ତିରେ ଏହି ଘଟଣା ଘଟିଥିବା ବେଳେ ଛାତ୍ରଙ୍କ ପରିବାର ଥାନାର ଦ୍ଵାରସ୍ଥ ହୋଇଥିବା ଜଣାପଡିଛି।
ଖବର ଅନୁଯାୟୀ ଶିକ୍ଷୟତ୍ରୀଙ୍କର ବାହାଘର ହୋଇପାରୁନଥିଲା । ମାଙ୍ଗଳିକ ଦୋଷ ବିବାହ ଏପରି ବିଳମ୍ବ ହେଉଥିବା କେହି ତାଙ୍କ ପରିବାରକୁ କହିଛି। ଆଉ କଣ କରିବାକୁ ହେବ ପ୍ରତିକାର ମଧ୍ୟ ବତାଇଥିଲା। ଏହାକୁ ବିଶ୍ଵାସକୁ ନେଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିଲେ ଶିକ୍ଷୟତ୍ରୀ ଓ ତାଙ୍କ ପରିବାର। ମାଙ୍ଗଳିକ ଦୋଷ ଦୂର ପାଇଁ କରିଥିଲେ ଯୋଜନା।
ଛାତ୍ରଙ୍କ ପରିବାରର ଅଭିଯୋଗ ହେଲା ଆର୍ଥିକ ସ୍ଥିତି ଭଲ ନଥିବାରୁ ପିଲାକୁ ଟ୍ୟୁସନ୍ କରିବା ସମ୍ଭବ ନଥିଲା। କିନ୍ତୁ ଶିକ୍ଷୟତ୍ରୀ ମାଗଣା ଟ୍ୟୁସନ୍ କରିବେ ବୋଲି ଲୋଭ ଦେଖାଇବାରୁ ସେମାନେ ରାଜିହୋଇ ପିଲାକୁ ତାଙ୍କ ଜିମାରେ ଛାଡିଥିଲେ। ଶିକ୍ଷୟତ୍ରୀ ଜଣକ ଛାତ୍ରଟିକୁ ପଢ଼ାଇବା ପାଇଁ ନେଇ ୬ ଦିନ ଘରେ ରଖିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ସହିତ କରିଥିଲେ ବିବାହ।
ସେହିପରି ପୋଲିସ୍ କହିଛି ଛାତ୍ରକୁ ୬ ଦିନ ରଖି ବିବାହର ସମସ୍ତ ନୀତି ନିୟମ ସମ୍ପୂର୍ଣ୍ଣ କରାଯାଇଥିଲା। ହଳଦୀ-ମେହେନ୍ଦି ଓ ଚଉଠି ରାତି ମଧ୍ୟ ହୋଇଥିଲା। ଏହାପରେ ପଣ୍ଡିତଙ୍କ କହିବା ଅନୁଯାୟୀ ହାତରୁ ଚୁଡ଼ି ଭାଙ୍ଗି ଶିକ୍ଷୟତ୍ରୀଙ୍କୁ ବିଧବା କରାଯାଇଥିଲା। ଏଥିପାଇଁ ଶୋକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା। ହେଲେ ଛାତ୍ରଙ୍କ ପରିବାରର ଅଭିଯୋଗରେ ପୋଲିସ୍ରେ ମାମଲା ରୁଜୁ କରିବା ପରେ ଶିକ୍ଷୟତ୍ରୀ ଓ ତାଙ୍କ ପରିବାର ଏବେ ଅଡୁଆରେ ପଡ଼ିଥିବା ଜଣାପଡ଼ିଛି।