

ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୦୨/୧୦୨୧ : କରୋନା ଭୂତାଣୁ ମହାମାରୀ ଯୋଗୁ ଦୀର୍ଘଦିନ ଧରି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ବନ୍ଦ ରହିଥିଲା । ମହାମାରୀ ପାଇଁ ବିଦେଶରେ ରହୁଥିବା ଲୋକ ନିଜ ଦେଶକୁ ଫେରିବାକୁ ବ୍ୟାକୁଳ ହୋଇପଡ଼ିଥିଲେ । କିନ୍ତୁ ଭାରତୀୟମାନଙ୍କ ମଧ୍ୟରେ ଦେଶ ଛାଡ଼ି ବିଦେଶରେ ରହିବା ଇଚ୍ଛା ଅଧିକ । କାରଣ ଅନ୍ୟ ଦେଶରେ ରହିବାର ଆଗ୍ରହକୁ ନେଇ ହୋଇଥିବା ଏକ ସର୍ଭେରେ ଶୀର୍ଷ ସ୍ଥାନରେ ରହିଛନ୍ତି ଭାରତୀୟ । ଗତ ବର୍ଷ ହେନଲୀ ଆଣ୍ଡ ପାର୍ଟନର୍ସ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ରିପୋର୍ଟ ଅନୁସାରେ, ଏହି ତାଲିକାରେ ଭାରତ ସର୍ବାଗ୍ରେ ରହିଥିବାବେଳେ, ଏହା ପଛକୁ ଆମେରିକା, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆ ରହିଛନ୍ତି ।
୨୦୨୦ରେ ଭାରତୀୟ ଧନୀମାନଙ୍କ ଦ୍ବାରା ସବୁଠୁ ଅଧିକ ଥର ‘ନିବେଶ ଜରିଆରେ ନିବାସ’ ଏବଂ ‘ନିବେଶ ଜରିଆରେ ନାଗରିକତା’ କାର୍ଯ୍ୟକ୍ରମ ବିଷୟରେ ଯାଞ୍ଚ କରାଯାଇଛି । ଏକ ଯାଞ୍ଚ ଏଜେନ୍ସି କହିଛି ଯେ, ୨୦୧୯ ତୁଳନାରେ ୨୦୨୦ରେ ପ୍ରଶ୍ନ ସଂଖ୍ୟା ଅଧିକ । ବର୍ତ୍ତମାନ ଭାରତରେ ଦ୍ଵେତ ନାଗରିକତାର ଅନୁମତି ନାହିଁ । ଏଥିପାଇଁ ଅନ୍ୟ କୌଣସି ଦେଶର ନାଗରିକତା ପାଇଁ ଭାରତର ନାଗରିକତା ଛାଡ଼ିବାକୁ ପଡ଼ିବ । ଏପରି ଲୋକଙ୍କ ପାଇଁ ‘ନିବେଶ ଜରିଆରେ ନାଗରିକତା’ କାର୍ଯ୍ୟକ୍ରମ ବେଶ୍ ଲାଭବାନ ବୋଲି କୁହାଯାଉଛି ।
୨୦୧୯ରେ ୭ ହଜାର ଭାରତୀୟ ଧନୀ ଛାଡ଼ିଥିଲେ ଦେଶ
ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ, ଅନ୍ୟ ଦେଶରେ ରହିବାର ଆଗ୍ରହକୁ ନେଇ ୨୦୧୯ ତୁଳନାରେ ଭାରତୀୟମାନଙ୍କ ଦ୍ୱାରା କରାଯାଇଥିବା ପ୍ରଶ୍ନରେ ୬୩% ବୃଦ୍ଧି ପାଇଛି । ୨୦୧୯ରେ ୭ ହଜାର ଭାରତୀୟ ଦେଶ ଛାଡ଼ିଥିଲେ ବୋଲି କୁହାଯାଇଛି । ହେନ୍ଲୀ ପାର୍ଟନର୍ସର ବିଶ୍ବ ଦକ୍ଷିଣ ଏସିଆ ଟିମ୍ ନିର୍ଦେଶକ ନିର୍ଭୟ ହାଣ୍ଡା କହିଛନ୍ତି, ଆମେ ୨୦୧୯ ତୁଳନାରେ ୨୦୨୦ରେ ଭାରତୀୟମାନଙ୍କ ଦ୍ୱାରା କରାଯାଇଥିବା ପ୍ରଶ୍ନରେ ୬୨.୫% ବୃଦ୍ଧି ଦେଖିବାକୁ ପାଇଛୁ ।